
ସତ୍ୟଶିଖା (ମୁମ୍ବାଇ) ୨୨/୧୦/୨୦୨୦ : ୨୦୨୦ କେବଳ ଅଭିନେତ୍ରୀ କଙ୍ଗନା ରଣଓ୍ବତଙ୍କ ବିବାଦୀୟ ବୟାନ ପାଇଁ ନୁହେଁ,ବରଂ ତାଙ୍କ ବିରୋଧରେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମନେ ରଖାଯିବ । ଚାଷୀଙ୍କ ଅପମାନ କରିବା ଯୋଗୁଁ FIR ର ଦୁଃଖ ଭୋଗୁଥିବା କଙ୍ଗନାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିବା ଯୋଗୁଁ ଆଉ ଏକ ମାମଲା ରୁଜୁ ହୋଇଯାଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ୍ କଙ୍ଗନା ରଣଓ୍ବତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ସମନ ପଠାଇଛି । ଉଭୟଙ୍କୁ ଆଗାମୀ ସପ୍ତାହରେ ଯାଞ୍ଚରେ ସାମିଲ ହେବା ପାଇଁ କୁହାଯାଇଛି ।ଏବେ ମୁମ୍ବାଇ ପୋଲିସର ଏହି ସମନରେ କଙ୍ଗନାଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସବୁବେଳ ଭଳି ଏଥର ମଧ୍ୟ କଙ୍ଗନା ପୋଲିସଙ୍କ ଏହି ସମନରେ ଥଟ୍ଟା କରିଛନ୍ତି । ସେ ମୁମ୍ବାଇ ପୋଲିସକୁ ମଧ୍ୟ ପପ୍ପୁପ୍ରୋ ସେନା କହି ଦେଇଛନ୍ତି । ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ – କେତେ ପାଗଳ ଏହି ପେଙ୍ଗୁଇନ୍ ସେନା । ମହାରାଷ୍ଟ୍ରର ପପ୍ପୁପ୍ରୋ,ବହୁତ ମନେ ପଡ଼ୁଛି କ-କ-କ-କ କଙ୍ଗନା,କିଛି କଥା ନାହିଁ,ଖୁବ୍ ଶୀଘ୍ର ଆସିଯିବି । କଙ୍ଗନା ରଣୌତଙ୍କ ମୁମ୍ବାଇ ପୋଲିସକୁ ପପ୍ପୁପ୍ରୋ ସେନା କହିବା ନୂଆ ବିବାଦକୁ ଜନ୍ମ ଦେଇପାରେ । ଏହା ପୂର୍ବରୁ ସେ ସୋନିଆ ସେନା ଭଳି ଶବ୍ଦର ମଧ୍ୟ ପ୍ରୟୋଗ କରିଛନ୍ତି । କଙ୍ଗନାଙ୍କ ଏହି ଟ୍ଵିଟ୍ ଭାଇରାଲ୍ ହୋଇଛି ଏବଂ ଏହା ଉପରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ବାନ୍ଦ୍ରା କୋର୍ଟ କାଷ୍ଟିଂ ଡାଇରେକ୍ଟର ସାହିଲ୍ ଅଶରଫ ସୟଦଙ୍କ ଅଭିଯୋଗ ପରେ ନିକଟରେ କଙ୍ଗନା ଏବଂ ତାଙ୍କ ଭଉଣୀ ବିରୋଧରେ ମାମଲା ରୁଜୁ କରିବାର ଆଦେଶ ଦେଇଥିଲେ । ତାଙ୍କ ବିରୋଧରେ ୨ଟି ସମୁଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବାଠୁ ଆରମ୍ଭ କରି ବଲିଉଡର ଅପମାନ ଯାଏଁ,ବିଭିନ୍ନ ପ୍ରକାରର ଅଭିଯୋଗ ଲଗାଯାଇଥିଲା । ଏହା ପରେ ଉଭୟ କଙ୍ଗନା ଏବଂ ରଙ୍ଗୋଲିଙ୍କ ବିରୋଧରେ ଧାରା ୨୯୫(ଏ),୧୫୩(ଏ) ଏବଂ ୧୨୪(ଏ) ଅନୁସାରେ ମାମଲା ରୁଜୁ କରାଯାଇଥିଲା । ସେହି FIR ପରେ ମଧ୍ୟ କଙ୍ଗନା ଏହା କହିଥିଲେ ଯେ ପପ୍ପୁ ସେନାକୁ ତାଙ୍କ କଥା ବହୁତ ମନେ ପଡ଼ୁଛି । ସେହି ସମୟରେ ମଧ୍ୟ କଙ୍ଗନା ଶୀଘ୍ର ଆସିବାକୁ ପ୍ରତିଶୃତି ଦେଇଥିଲେ ଏବଂ ଏବେ ବି ଏପରି କହୁଛନ୍ତି ।