ବାଣିଜ୍ୟ

ଏଟିଏମରୁ ଟଙ୍କା ଉଠାଣ ନ ହୋଇ କଟିଲେ କ୍ଷତିପୂରଣ ଦେବ ବ୍ୟାଙ୍କ

ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : ଏଟିଏମ୍‌ରୁ ଟଙ୍କା ଉଠାଣ ବେଳେ କେତେକ ସମୟରେ ଆମେ ଉଠାଇଥିବା ଟଙ୍କା ପାଇ ନଥାଉ; ମାତ୍ର ଆମ ଆକାଉଣ୍ଟରୁ ଅର୍ଥ ଡେବିଟ୍‌ (କଟି) ହୋଇଯାଇଥାଏ । ଏହି ଡେବିଟ୍‌ ଅର୍ଥ ଆମେ ପରବର୍ତ୍ତୀ ସମୟରେ ଫେରିପାଇଥାଉ । କେତେକ ସମୟରେ ବ୍ୟାଙ୍କ ଏହି ଡେବିଟ୍‌ ଅର୍ଥ ଫେରାଇବାରେ ବିଳମ୍ବ କରିଥାଏ । ଆମେ ଏଥିପାଇଁ ବ୍ୟାଙ୍କ ନିକଟରେ ଅଭିଯୋଗ କରିଥାଉ । ଅଭିଯୋଗ ପରେ ଅନେକ ଦିନର ବିଳମ୍ବରେ ଏହି ଅର୍ଥ ଫେରିପାଉ ।ଏଥିପାଇଁ ଅନେକ ସମୟରେ ଆମେ ଆର୍ଥିକ ଚାପର ସମ୍ମୁଖୀନ ହୋଇଥାଉ । ତେବେ ଆଗକୁ ଏପରି ଆର୍ଥିକ ଚାପର ସମ୍ମୁଖୀନ ହେବାକୁ ପଡିବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନିୟମ ଅନୁଯାୟୀ ବ୍ୟାଙ୍କ କର୍ତ୍ତୃପକ୍ଷ ୭ଦିନ ମଧ୍ୟରେ ଏହି ଟଙ୍କା ଫେରାଇବେ । ଆରବିଆଇ ତାଙ୍କର ଏହି ନିୟମରେ ଆଉ କିଛି ପରିବର୍ତ୍ତନ କରିଛନ୍ତି । ପରିବର୍ତ୍ତିତ ନିୟମ ଅନୁଯାୟୀ ଟଙ୍କା ଫେରାଇବାରେ ବ୍ୟାଙ୍କ ବିଳମ୍ବ କଲେ ଗ୍ରାହକଙ୍କୁ କ୍ଷତିପୂରଣ ଦେବ ।

ଏପରିକି ଟଙ୍କା ଫେରାଇବାରେ ଯେତେଦିନ ବିଳମ୍ବ କରିବ ବ୍ୟାଙ୍କ ଦୈନିକ ୧୦୦ଟଙ୍କା ହିସାବରେ ସମ୍ପୃକ୍ତ ଗ୍ରାହକଙ୍କୁ କ୍ଷତିପୂରଣ ଦେବ । କେବଳ ଏଟିଏମରୁ ଟଙ୍କା ଉଠାଣ ନୁହେଁ କୌଣସି ଅନଲାଇନ ନେଣଦେଣ (ଟ୍ରାଞ୍ଜାକସନ) ସମୟରେ ଯଦି ଏପରି ସମସ୍ୟା ସୃଷ୍ଟି ହୁଏ ଗ୍ରାହକ ଏପରି କ୍ଷତିପୂରଣ ପାଇବେ । ସାଧାରଣତଃ ବୈଷୟକି ସମସ୍ୟା ଯେପରିକି ହାର୍ଡୱେର, ସଫ୍ଟୱେର ଓ ଯୋଯୋଯୋଗ ତ୍ରୁଟି କାରଣରୁ ଏଟିଏମ୍‌ର ଟଙ୍କା ନ ଉଠି ମଧ୍ୟ ଏହା ବୈଧ କାରବାର ବୋଲି ବିବେଚିତ ହୋଇଥାଏ ଓ ଆମ ଆକାଉଣ୍ଟରୁ ଟଙ୍କା ଡେବିଟ୍‌ ହୋଇଯାଇଥାଏ । ଏଟିଏମ୍ ଟ୍ରାଞ୍ଜାକସନ୍ ବିଫଳ ହେଲେ ଜଣେ ଗ୍ରାହକ ୟୁପିଆଇ ଆପ୍‌ ମାଧ୍ୟମରେ ଅଭିଯୋଗ କରିପାରିବେ । ଏଥିରେ ଗ୍ରାହକ ତାଙ୍କ ଟ୍ରାଞ୍ଜାକସନ ସମ୍ପର୍କରେ ତଥ୍ୟ ଦେବେ ।

Show More
Back to top button