
ସତ୍ୟଶିଖା ୧୫/୦୧/୨୦୨୧ : ଭୁବନଶ୍ୱରଠାରେ ଖଣ୍ଡଗିରି ପାହାଡ ସମେତ ରାଜ୍ୟର ବିଭିନ୍ନସ୍ଥାନରେ ଥିବା ଐତିହାସିକ ଓ ରାଜରାଜୁଡା ଅମଳର ଗୁମ୍ଫାଗୁଡିକୁ ପର୍ଯ୍ୟଟନ ବିଭାଗ ସଂରକ୍ଷଣ ପାଇଁ ଯୋଜନା କରିଛନ୍ତି । ଏହାସତ୍ତ୍ବେ ବହୁ ପ୍ରାଚୀନ ଗୁମ୍ଫା ଲୋକଲୋଚନକୁ ଆସିପାରୁ ନାହିଁ । ଏହି ଗୁମ୍ଫାଗୁଡିକ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏଭଳି ଏକ ପ୍ରାଚୀନ ଗୁମ୍ଫା ହେଉଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତର ପଶ୍ଚିମ ଭାଗ ତଥା ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତର ପୂର୍ବଭାଗରେ ଅବସ୍ଥିତ ରତ୍ନଗିରି ଗୁମ୍ଫା । ଗୁମ୍ଫାଟି ପୌରାଣିକ କିମ୍ବଦନ୍ତୀ ଅନୁସାରେ ସତ୍ୟଯୁଗରେ ମହିଷାସୁର ଡରରେ ଦେବତାମାନେ ଏଠାରେ ଆତ୍ମଗୋପନ କରିଥିଲେ। ଦୁର୍ଗତିନାଶିନୀ ମା’ଦୁର୍ଗା ରତ୍ନଗିରିରୁ ପ୍ରକଟ ହୋଇ ମହିଷାସୁରର ବିନାଶ କରିଥିବା କଥା ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ । ତ୍ରେତୟାଯୁଗରେ ଏହି ଗୁମ୍ଫା ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ପଞ୍ଚବଟିକୁ ଯାଇଥିଲେ ବୋଲି କୁହାଯାଏ ।ପ୍ରତିବର୍ଷ ମାଘ ପୂର୍ଣ୍ଣମୀରେ ଏଠାରେ ଅଖଣ୍ଡ ନାମଯଜ୍ଞ ହୁଏ । ବାହାଡାଝୋଲାଠାରୁ ନୂଆଗାଁ ପୂର୍ତ୍ତ ରାସ୍ତାରେ ୭ କିଲୋମିଟର ଯିବାପରେ କାସ୍ତାପଲ୍ଲୀଠାରୁ ପଶ୍ଚିମକୁ ଭଣ୍ଡାରୀବାରୀ, ଡେଙ୍ଗାବାରି ଦେଇ, ୧୦ କି.ମି. ବଣଜଙ୍ଗଲ ଘେରା ବିପଦସଙ୍କୁଳ ଘାଟି ରାସ୍ତା ଅତିକ୍ରମ କରିବା ପରେ ରତ୍ନଗିରି ପାହାଡ ପଡେ । ନୈସର୍ଗିକ ଶୋଭା ବିମଣ୍ଡିତ ସୁଉଚ୍ଚ ରତ୍ନଗିରି ପାହାଡର ଶିଖରରୁ ବହି ଆସୁଥିବା ଚିରସ୍ରୋତା ଝରଣାଟି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପାହାଡର ପ୍ରାୟ ଏକ ହଜାର ଫୁଟ ଉପରେ ରହିଛି ଅଗସ୍ତି ଗୁମ୍ଫା । ଏଠାରେ ରହିଛି ଯଜ୍ଞକୁଣ୍ଡ । ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ରତାଦେଈ ଦୁର୍ଗା ରୂପରେ ଏଠାରେ ପୂଜା ପାଉଛନ୍ତି । ଏହାର ଉଭୟପାଶ୍ୱର୍ରେ ରହିଛି କଳା ମୁଗୁନି ପଥର ଆଚ୍ଛାଦିତ ଦୁଇଟି ପାହାଡ । ଏହି ଉଭୟ ପାହାଡକୁ ଆଚ୍ଛାଦନ କରି ରହିଛି ବିରାଟ ପ୍ରସ୍ତର । ଏହାର ତଳ ଭାଗଟି ସମ୍ପୂର୍ଣ୍ଣ ଖୋଲା । ଏଠାରେ ବର୍ଷ ସାରା ଖରା କିମ୍ବା ବର୍ଷା ପଡେ ନାହିଁ । ସାଧୁସନ୍ଥମାନେ ଏଠି ରାତ୍ରିଯାପନ କରିଥାନ୍ତି । ଏହା ନିକଟରେ ରହିଛି ବଡଦାଣ୍ଡ ।
ଏହାର ଉଭୟପାଖରେ ରହିଛି ସୁଉଚ୍ଚ ପର୍ବତମାଳା । ପ୍ରାୟ ୩୦ ଫୁଟ ଓସାର ଏବଂ ୨୦୦ ଫୁଟ ଲମ୍ବ ବିଶିଷ୍ଟ ବଡଦାଣ୍ଡଟି ରତ୍ନଗିରିର ଶୋଭାକୁ ଦ୍ୱିଗୁଣିତ କରୁଛି । ଏହାର ପଛପଟେ ରହିଛି ଏକ ବିରାଟ ସୁଡଙ୍ଗ । ଏହାର ପ୍ରବେଶଦ୍ୱାର ଛୋଟ; କିନ୍ତୁ କିଛି ବାଟ ଅତିକ୍ରମ କଲା ପରେ ସୁଡଙ୍ଗଟି କ୍ରମଶଃ ପ୍ରଶସ୍ତ ଥିବା ଦେଖିବାକୁ ମିଳେ । ଗୁମ୍ଫା ଭିତରକୁ ପ୍ରାୟ ୨୦୦ ମିଟର ପରେ ଶତାଧିକ ଲୋକ ବସିବା ଭଳି ଏକ ପ୍ରଶସ୍ତ କୋଠରି ଯାହାକି ମୁକ୍ତିମଣ୍ଡପ ଏବଂ ଦେବସଭା ନାମରେ ପରିଚିତ । ତ୍ରେତୟାଯୁଗରେ ପ୍ରଭୁ ଶ୍ରୀରାମ ବନବାସ ସମୟରେ ଏହି ବାଟଦେଇ ପଞ୍ଚବଟିକୁ ଯିବା ବେଳେ ଏଠାରେ ରାତ୍ରିଯାପନ କରିଥିବା ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ । ଏହା ମଧ୍ୟରେ ରହିଛି ଗୁପ୍ତ ଗଙ୍ଗା । ଏହାକୁ ସେବନ କରି ଭକ୍ତ ଆନନ୍ଦରେ ବିଭୋର ହୋଇଯାନ୍ତି । ଏତଦ୍ବ୍ୟତୀତ ଏଠାରେ ସ୍ୱର୍ଗଦ୍ୱାର, ଲକ୍ଷ୍ମୀ-ନାରାୟଣ ଗୁମ୍ଫା, ବଜରଙ୍ଗ ଗୁମ୍ଫା, ଗଙ୍ଗାମାତା ମଠ, ନୃସିଂହ ମଠ, ସାଧୁସନ୍ଥଙ୍କ ଗୁପ୍ତ ଆଶ୍ରମ, ଗୁହାରିଆ ଗୁମ୍ଫା ଭଳି ଅନେକ ସ୍ଥାନ ରହିଛି । ଶୀତଋତୁ ଆସିଲେ ଏଠାରେ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ ସାଙ୍ଗକୁ ଭୋଜିଭାତର ଆସର ଦେଖିବାକୁ ମିଳେ । ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ରତ୍ନଗିରି ଗୁମ୍ଫାଟି ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇ ଗମନାଗମନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି l