ସତ୍ୟଶିଖା ୧୨.୦୮.୨୦୨୦ : ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ www.samsodisha.gov.inରେ ଯାଇ ଆବେଦନ କରିପାରିବେ । କେବଳ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା କରାଯିବ । କୌଣସି ପ୍ରକାର ଅଫ୍ଲାଇନ୍ ସୁବିଧା ଉପଲବ୍ଧ ହେବ ନାହିଁ । ଆଜି ଅପରାହ୍ନ ୨ଟାରୁ ୩୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବା ନେଇ ଧାର୍ଯ୍ୟ ହୋଇଛି । ସର୍ବାଧିକ ୫ଟି ପିଜି ବିଷୟ ଓ ୧୦ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଜଣେ ପରୀକ୍ଷାର୍ଥୀ ଆବେଦନ କରିପାରିବେ । ଏହାପରେ ସେପ୍ଟେମ୍ବର ୨୦ରେ ଇ-ସ୍ପେସ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ସେଠାରୁ ହଲ୍ ଟିକେଟ୍ ଡାଉନଲୋଡ କରିବେ । ଏହାପରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ । ଅକ୍ଟୋବର ୨୫ରେ ମେଧା ତାଲିକା ପ୍ରକାଶ ପାଇବ । ନଭେମ୍ବର ୨୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ନାମଲେକା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ଏହି ପ୍ରବେଶିକା ପରୀକ୍ଷା ଦାୟିତ୍ୱ ୩ଟି ବିଶ୍ୱବିଦ୍ୟାଳୟକୁ ଦିଆଯାଇଛି । କଳା ବିଭାଗର ୨୪ଟି ବିଷୟର ପରୀକ୍ଷା ପରିଚାଳନା ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜ୍ଞାନ ବିଭାଗର ୨୦ଟି ବିଷୟର ପରୀକ୍ଷା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବାଣିଜ୍ୟ ବିଭାଗର ୮ଟି ବିଷୟର ପରୀକ୍ଷା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କରିବ । ପ୍ରଥମ ବିଷୟ ଲାଗି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୫୦୦ ଟଙ୍କା ଫି’ ରହିଥିବା ବେଳେ ପରବର୍ତ୍ତୀ ବିଷୟଗୁଡ଼ିକ ପିଛା ୨୦୦ ଟଙ୍କା ଲେଖାଏଁ ଦେବାକୁ ହେବ । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି କମନ୍ ଆପ୍ଲିକେସନ ଫର୍ମ ବାବଦରେ ୫୦୦ ଟଙ୍କା ରଖାଯାଇଥିବା ବେଳେ ଏସ୍ସି/ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟଙ୍କା, ଭିନ୍ନକ୍ଷମ ଓ କିନ୍ନରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ଫି’ କେବଳ ଅନ୍ଲାଇନ୍ରେ ଡିପୋଜିଟ୍ କରାଯିବ ।
କରୋନା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ। ରେଭେନ୍ସା, ଉତ୍କଳ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଗଙ୍ଗାଧର ମେହେର, ଫକୀର ମୋହନ, ଉତ୍ତର ଓଡ଼ିଶା(ଉଭୟ କ୍ୟାମ୍ପସ), କଳହାଣ୍ଡି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ସ୍ଵୟଂଶାସିତ କଲେଜ, ଭବାନୀପାଟଣା ସରକାରୀ ସ୍ଵୟଂଶାସିତ କଲେଜ, କେନ୍ଦୁଝର ସରକାରୀ ସ୍ଵୟଂଶାସିତ କଲେଜ, ରାଉରକେଲା ସ୍ଵୟଂଶାସିତ କଲେଜ, ରାଜେନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରିବାକୁ ସ୍ଥିର ହୋଇଛି । ଯଦି ଆବଶ୍ୟକ ପଡ଼େ ସମସ୍ତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଘୋଷଣା କରାଯିବ। ବିଶ୍ୱବିଦ୍ୟାଳୟ ଓ କଲେଜରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଓରିଜିନାଲ ସାର୍ଟିଫିକେଟ୍, ମାର୍କସିଟ୍ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ଛାତ୍ରଛାତ୍ରୀ www.dheodisha.gov.in ଓ www.samsodisha.gov.in , ବିଶ୍ୱବିଦ୍ୟାଳୟ ଓ କଲେଜର ୱେବସାଇଟ୍କୁ ଯାଇ ହଷ୍ଟେଲ ସିଟ୍ ଓ ଅନ୍ୟାନ୍ୟ ଫି’ ବାବଦରେ ଜାଣିପାରିବେ ।