ଦେଶରେ ୭୦ ଲକ୍ଷ ଟପିଲା କୋଭିଡ ଟୀକାକରଣ


ସତ୍ୟଶିଖା ୧୨/୦୨/୧୦୨୧ : ଦେଶରେ କୋଭିଡ୍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦେଶରେ ଏପର୍ଯ୍ୟନ୍ତ ୭୪ ଲକ୍ଷ ୩୦ ହଜାର ୮୬୬ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି । ୫୩ ହଜାର ୭୯୯ଟି ସେସନରେ ଏହି ଟିକାକରଣ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୭୦ ଲକ୍ଷ ଲୋକଙ୍କୁ ଶୀଘ୍ର ପ୍ରତିଷେଧକ ଦେବାରେ ଭାରତ ବିଶ୍ୱରେ ପ୍ରଥମ ରାଷ୍ଟ୍ର ହୋଇଛି। ଗତ ୨୪ ଘଣ୍ଟା ଭିତରେ ୪ଲକ୍ଷ ୧୩ ହଜାର ୭୫୨ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଇଛି । ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଉଛି ।
ପ୍ରତିଷେଧକ ନେଇଥିବା ଲୋକମାନଙ୍କ ମଧ୍ୟରେ ୫୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ୧୬ ଲକ୍ଷ ସ୍ୱେଚ୍ଛାସେବୀ ରହିଛନ୍ତି । ପ୍ରତିଷେଧକ ନେଇଥିବା ମୋଟ୍ ବ୍ୟକ୍ତିମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । ପ୍ରତିଷେଧକ ନେଇଥିବା ମୋଟ୍ ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡା ୧୦ ଦଶମିକ ୨ ଭାଗ କେବଳ ଉତ୍ତରପ୍ରଦେଶରୁ ରହିଛନ୍ତି ।
ସୂଚନା ଅନୁଯାୟୀ ଗୁଜରାଟରେ ୬ ଲକ୍ଷ ୪୩ ହଜାର ୪୩୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ୬ ଲକ୍ଷ ୪୫୬, ଉତ୍ତରପ୍ରଦେଶରେ ୭ ଲକ୍ଷ ୫୨ ହଜାର ୫୦୧, ରାଜସ୍ଥାନରେ ୫ ଲକ୍ଷ ୬୯ ହଜାର ୭୧୭ ଏବଂ ମଧ୍ୟପ୍ରଦେଶରେ ୪ ଲକ୍ଷ ୮୫ ହଜାର ୫୯୩ ଜଣଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି ।