ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ରାଙ୍କର ଅଫିସର ମଧ୍ୟ ଅଛନ୍ତି । ସେହିପରି ଅନ୍ୟ ୪ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ଏହି ସଂଘର୍ଷରେ ଚୀନର ମଧ୍ୟ ୪୩ ଯବାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସୋମବାର ବିଳମ୍ବିତ ରାତିରେ ଏହି ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଆଜି ସରକାରଙ୍କ ପକ୍ଷରୁ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ନାଁ ପ୍ରକାଶ କରାଯାଇଛି । ଶହୀଦ ୨୦ ଭାରତୀୟ ବୀର ଯବାନଙ୍କ ମଧ୍ୟରେ ବିହାରରୁ ୫, ପଞ୍ଜାବରୁ ୪, ଝାଡ଼ଖଣ୍ଡରୁ ୨ ଓ ଓଡ଼ିଶାରୁ ୨ ଜଣ ରହିଛନ୍ତି । ସେହିପରି ତେଲେଙ୍ଗାନା, ହିମାଚଳ ପ୍ରଦେଶ, ତାମିଲନାଡ଼ୁ, ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ମଧ୍ୟ ଜଣେ ଜଣେ ଯବାନ ଶହୀଦ ହୋଇଛନ୍ତି । କର୍ଣ୍ଣେଲ ରାଙ୍କର ଅଫିସର ବି. ସନ୍ତୋଷ ବାବୁ ଏହି ରକ୍ତାକ୍ତ ସଂଘର୍ଷରେ ଶହୀଦ ହୋଇଛନ୍ତି ।