ନ୍ୟୁଜ୍ରାଜନୀତିରାଜ୍ୟ

ପଂଚାୟତ ନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ଗେମପ୍ଲାନ

ସତ୍ୟଶିଖା(ଭୁବନେଶ୍ୱର )୧୯.୧୦ .୨୦୨୧: କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ପଂଚାୟତ ଓ ପୌର ନିର୍ବାଚନର ନେତୃତ୍ୱ ନେବେ ନାହିଁ  । ଗତ ପଂଚାୟତ ନିର୍ବାଚନ ବେଳେ ବସନ୍ତ ପଣ୍ଡା ବିଜେପି ସଭାପତି ଥିଲେ ମଧ୍ୟ ବାସ୍ତବରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ହିଁ ଦଳ ଲଢୁଥିଲା  । କିନ୍ତୁ ଏଥର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବ  । ଧର୍ମେନ୍ଦ୍ର ୨୦୧୭ ଭଳି ଆଉ ନେତୃତ୍ୱ ନେବେନାହିଁ, କିନ୍ତୁ ଛାୟା ନେତୃତ୍ୱ ନେବେବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି  । ବସ୍ତୁତଃ ସମୀର ମହାନ୍ତିଙ୍କୁ ଆଗରେ ରଖି ଧର୍ମେନ୍ଦ୍ର ପ୍ରଚ୍ଛଦପଟରେ ହିଁ ଗୋଟି ଚାଳନା କରିବେ  ।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ବିଜେପିରେ ଆଉ ଧର୍ମେନ୍ଦ୍ରଙ୍କର ଏକଚାଟିଆ ପତିଆରା ନାହିଁ  । ଦଳର ପୁରୁଖା ନେତାମାନେ ସାଂସଦ ହୋଇଥିବାବେଳେ ନବାଗତମାନେ ବି ଆଧିପତ୍ୟ ବିସ୍ତାର କରୁଛନ୍ତି  । ୨୦୧୭ ପଂଚାୟତ ନିର୍ବାଚନ ବେଳେ ରାଜ୍ୟ ବିଜେପିର ପ୍ରାୟ ଅଧିକାଂଶ ନେତା ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଗ୍ରହଣ କରିନେଇଥିଲେ  । କିନ୍ତୁ ଏବେ ଧର୍ମେନ୍ଦ୍ରଙ୍କ ଅନୁଗତ ଥିବା ଅନେକ ନେତା ଅନ୍ୟ ନେତାମାନଙ୍କ ପଛରେ ଯାଉଥିବା ଦେଖିବାକୁ ମିଳିଛି  । ଏହାକୁ ଆଖିଆଗରେ ରଖି ଧର୍ମେନ୍ଦ୍ର ମଧ୍ୟ ଗୋଟିଚାଳନା ଆରମ୍ଭ କରିଦେଇଛନ୍ତି  ।

ସମ୍ବଲପୁର ଓ ବରଗଡ଼ରେ ବିଜେପି ସାଂସଦ ଜିତିଛନ୍ତି  । ବରଗଡ଼ରେ ସୁରେଶ ପୂଜାରୀ ଜିତିଛନ୍ତି  । ସେହିପରି କଳାହାଣ୍ଡିରେ ବସନ୍ତ ପଣ୍ଡା ଜିତିଛନ୍ତି  । ସୁନ୍ଦରଗଡ଼ରେ ଜୁଏଲ ଓରାମ ବି ଜିତିଛନ୍ତି  । ବଲାଙ୍ଗୀରରେ କନକବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ସଂଗୀତା ସିଂହଦେଓ ଜିତିଛନ୍ତି  । ଏହି ଚାରିନେତା ପୂର୍ବରୁ ଦଳର ସଭାପତି ଥିଲେ  । ତେଣୁ ସେହି ସବୁ ସଂସଦୀୟ କ୍ଷେତ୍ରରେ ଧର୍ମେନ୍ଦ୍ର ମୁଣ୍ଡ ପୂରାଇବେ ନାହିଁ  । ରାଜ୍ୟ ସଭାପତି ସମୀର ମହାନ୍ତି ସେହି ସବୁ ଜିଲ୍ଲାର ଦାୟିତ୍ୱ ସାଂସଦମାନଙ୍କୁ ଦେଇସାରିଛନ୍ତି  । ଯେଉଁ ଠାରେ ଦଳର ସିଟ କମିବ, ସେଠାରେ ସେହି ନେତାମାନେ ହିଁ ଦାୟୀ ରହିବେ  ।

ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱରେ ରହିବେ ଅପରାଜିତା ଷଡଙ୍ଗୀ  । ବାଲେଶ୍ୱର ଦାୟିତ୍ୱରେ ରହିବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ  । କେନ୍ଦ୍ରାପଡ଼ା ଦାୟିତ୍ୱରେ ରହିବେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡା  । ପୁରୀ ଦାୟିତ୍ୱରେ ରହିବେ ସମ୍ବିତ ପାତ୍ର  । ଏହିଭଳି ଭାବେ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଆବଂଟନ କରାଯିବ  । ଏମାନଙ୍କୁ ମଧ୍ୟରୁ କେତେକ ବରିଷ୍ଠ ନେତାଙ୍କ ସହ ଧର୍ମେନ୍ଦ୍ରଙ୍କର ସୁସମ୍ପର୍କ ନଥିବାବେଳେ ଅନ୍ୟ କେତେକ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ସ୍ୱୀକାର କରିବାରେ କୁଣ୍ଠା ପ୍ରକାଶ କରୁଛନ୍ତି  । ଗତ ପଂଚାୟତ ନିର୍ବାଚନରେ ବିଜେପି ଆଶାତୀତ ପ୍ରଦର୍ଶନ କରିଥିଲା  । ଜାତୀୟସ୍ତରରେ ମଧ୍ୟ ନିଜେ ଅମିତ ଶାହା ଏହାର ଭୂୟସୀ ପ୍ରଶଂସା କରିଥିଲେ  । ଏବେ ଧର୍ମେନ୍ଦ୍ର ଉତରପ୍ରଦେଶ ଦାୟିତ୍ୱରେ ରହିଛନ୍ତି  । ଉତରପ୍ରଦେଶରେ ଦଳର ସ୍ଥିତି ଭଲ ଥିବାରୁ ଜିତିବାର ବହୁ ସମ୍ଭାବନା ରହିଛି  । ସର୍ଭେ ରିପୋର୍ଟରେ ବି ବିଜେପିର ବିଜୟ ନିଶ୍ଚିତ ବୋଲି କୁହାଯାଉଛି  । ତେଣୁ ଧର୍ମେନ୍ଦ୍ରଙ୍କ ପାଖକୁ ମଧ୍ୟ ଏହାର ଶ୍ରେୟ ଯିବ  ।

ଅପରପକ୍ଷରେ ୨୦୧୭ ଭଳି ଏବେ ରାଜ୍ୟ ବିଜେପି ସଶକ୍ତ ହୋଇ ରହିନାହିଁ  । ବରଂ ବିଜେଡ଼ିର ଦବଦବା ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି  । ସେହିପରି କଂଗ୍ରେସର ଭୋଟ ବିଜେପି ବଦଳରେ ବିଜେଡ଼ି ଆଡ଼କୁ ଢ଼ଳିବାରେ ଲାଗିଛି  । ତେଣୁ ୨୦୧୭ ତୁଳନାରେ ୨୦୨୨ ପଂଚାୟତ ନିର୍ବାଚନରେ ବିଜେପି ସଫଳତା ପାଇବା ମୁସ୍କିଲ  । ଅନେକ ନେତା ବି ଏହା ସ୍ୱୀକାର କରିବାରେ କାର୍ପଣ୍ୟ ପ୍ରକାଶ କରୁନାହାନ୍ତି  । ୨୦୧୭ରେ ଦଳର ମାତ୍ର ଜଣେ ସାଂସଦ ଥିଲେ, ବିଧାୟକଙ୍କ ସଂଖ୍ୟା ୧୦ରେ ସୀମିତ ରହିଥିଲା  । କିନ୍ତୁ ଏବେ ୨୨ ବିଜେପି ବିଧାୟକ  ଓ ୮ ସାଂସଦ ଅଛନ୍ତି  । ଯଦି ୨୦୨୨ ପଂଚାୟତ ନିର୍ବାଚନରେ ବିଜେପି ପୂର୍ବ ସଫଳତା ଦୋହରାଇ ନପାରିବ ତେବେ ଧର୍ମେନ୍ଦ୍ର ଦାୟିତ୍ୱ ନେଲେ ନାହିଁ ବୋଲି ଏଭଳି ଘଟିଲା ବୋଲି ପ୍ରଚାର କରାଯିବ  । ଯାହାକି ଧର୍ମେନ୍ଦ୍ରଙ୍କ ପାଇଁ ଫାଇଦା ହେବ  । ଧର୍ମେନ୍ଦ୍ରଙ୍କ ଏହି ରଣନୀତି କେତେ ସଫଳ ହେବ ତାହା ପଂଚାୟତ ନିର୍ବାଚନ ପରେ ହିଁ ଜଣାପଡ଼ିବ  ।

Show More
Back to top button