ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ।


ସତ୍ୟଶିଖା ୧୫/୦୭/୨୦୨୫: ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ତାଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତିଥି ଆସନ ଅଳଙ୍କୃତ କରିବେ । ଏଥିପାଇଁ ରେଭେନ୍ସାରେ ବିଶେଷ ପ୍ରସ୍ତୁତି ହୋଇଛି ।ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ମୁଖ୍ୟ ଫାଟକ ସହ ସେଭେନ୍ ପିଲାର ଅଫ୍ ୱିଜଡମ୍କୁ ସୁସଜ୍ଜିତ କରାଯାଇଛି । ରାଷ୍ଟ୍ରପତିଙ୍କୁ ସମସ୍ତ ଅତିଥି, ବିଶ୍ୱବିଦ୍ୟାଳୟ କୁଳପତି ସ୍ୱାଗତ କରିବା ସହ ସଭାସ୍ଥଳିକୁ ପାଛୋଟି ନେବେ । ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସମ୍ମିଳନୀ କକ୍ଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ସୋମବାର ପୂର୍ବାହ୍ନ ଏବଂ ଅପରାହ୍ନରେ ଦୁଇ ଥର ରିହର୍ସାଲ କରାଯାଇଛି । ଘଣ୍ଟାଏ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ପ୍ରଦାନ କରିବେ । ଅନ୍ୟ ଅତିଥିମାନେ ବକ୍ତବ୍ୟ ରଖିବେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ସହ ସ୍ୱର୍ଣ୍ଣପଦକ ଏବଂ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରିବେ ରାଷ୍ଟ୍ରପତି । କଟକ ଡିସିପି ସମ୍ମିଳନୀ କକ୍ଷରେ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ । ୫ଟି ହଲ୍ରେ ସ୍କ୍ରିନ୍ରେ କାର୍ଯ୍ୟକ୍ରମ ଦେଖିବା ବ୍ୟବସ୍ଥା ହୋଇଛି ।