ଦ୍ୱିତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୪୬ଜଣ, ୩ଜଣଙ୍କୁ ଖୋଜା ଚାଲିଛି


ଭୁବନେଶ୍ୱର (ସତ୍ୟଶିଖା): କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଦ୍ୱିତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ ୪୬ଜଣ ଲୋକ ଆସିଛନ୍ତି ବୋଲି ରାଜ୍ୟ ସରକାର ଆଜି ସ୍ପଷ୍ଟ କରିଛନ୍ତି। ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଲଣ୍ଡନରୁ ୧୮ତାରିଖରେ ଫେରିଥିବା ଜଣେ ୧୯ବର୍ଷୀୟ ଯୁବକଙ୍କ ଦେହରେ ଗତକାଲି କୋଭିଡ-୧୯ ନମୂନା ମିଳିଛି। ସେ ୧୯ତାରିଖରେ ଅବର୍ଜରଭେସନରେ ରହିଥିଲେ ଓ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ସଂସ୍ପର୍ଶରେ ମୋଟ ୪୬ଜଣ ଲୋକ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୪୩ଜଣଙ୍କ ଚିହ୍ନଟ କରାଯାଇ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାକି ୩ଜଣଙ୍କୁ ଠାବ କରିବା ପାଇଁ ଏବେ ୮ଟି ମନିଟରିଂ ଟିମ ଲାଗିଛନ୍ତି।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ଗତକାଲି ଚିହ୍ନଟ ହୋଇଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱରସ୍ଥିତ ଏମ୍ସର ଜଣେ ପଦାଧିକାରୀଙ୍କ ପୁଅ । ତାଙ୍କ ଯୋଗୁ ଅଧିକ ସଂଖ୍ୟକ ଏମ୍ସ ଡାକ୍ତରମାନେ କରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ବାଗଚୀ କହିଛନ୍ତି ଯେ, ଏମ୍ସ ଘଟଣାକୁ ରାଜ୍ୟ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଛନ୍ତି। ଏହାର ସର୍ବୋଚ୍ଚସ୍ତରରେ ସମୀକ୍ଷା କରାଯାଉଛି। ପ୍ରଭାବିତମାନଙ୍କୁ ଅବର୍ଜଭେସନରେ ରଖାଯାଇଛି।