ତେଲେଙ୍ଗାନାର ଶ୍ରୀସାଇଲାମ୍ ହାଇଡ୍ରୋ ପାଓ୍ବାର ପ୍ଳାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ l


ସତ୍ୟଶିଖା ୨୧ . ୦୮.୨୦୨୦ : ତେଲେଙ୍ଗାନାର ଶ୍ରୀସାଇଲାମ୍ ହାଇଡ୍ରୋ ପାଓ୍ବାର ପ୍ଳାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ରେସକ୍ୟୁ ଅପରେଶନ ଜାରି ରହିଛି । ପାୱାର ପ୍ଲାଣ୍ଟରେ ୯ ଜଣ ଶ୍ରମିକ ଥିଲେ । ଏବେ ସୁଦ୍ଧା ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ସନ୍ଧାନ ମିଳିପାରି ନାହିଁ । ଏହା ସହିତ ମାମଲାର ଯାଂଚ୍ ଚାଲିଛି ।
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଗୁରୁବାର ରାତିରେ ତେଲେଙ୍ଗାନା ସରକାରଙ୍କ ଅଣ୍ଡରଗ୍ରାଉଣ୍ଡ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି । ଏହା ପରେ ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ହେତୁ ପ୍ଲାଣ୍ଟରେ ୯ ଜଣ କର୍ମଚାରୀ ଫସି ରହିଥିବା ଅନୁମାନ କରାଯାଉଛି । ଏହା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଏଯାବତ୍ କେବଳ ୬ ଟି ଶବ ଉଦ୍ଧାର କରାଯାଇଛି ।
ତେଲେଙ୍ଗାନା ଶକ୍ତି ମନ୍ତ୍ରୀ ଜଗଦୀଶ ରେଡ୍ଡୀ କହିଛନ୍ତି ଯେ, ଗୁରୁବାର ରାତିରେ ବିସ୍ଫୋରଣ ଘଟିଥିବା ବେଳେ ଶ୍ରୀସାଇଲାମ୍ କାରଖାନାରେ ୩୦ ଜଣ କର୍ମଚାରୀ ଥିଲେ । ୧୫ ଜଣ ଟନେଲ ଦେଇ ବାହାରିଥିଲେ ଏବଂ ଅନ୍ୟ ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ୯ ଜଣ ଶ୍ରମିକ ଫସି ରହିଛନ୍ତି । ଏହି ଲୋକଙ୍କ ସନ୍ଧାନରେ ଉଦ୍ଧାର କାର୍ଯ୍ୟ ଚାଲିଛି ।
ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ଉଦ୍ଧାରକାରୀ ଦଳ ରାଜ୍ୟ ରାଜଧାନୀ ହାଇଦ୍ରାବାଦର ଦକ୍ଷିଣରୁ ପ୍ରାୟ ୨୨୦ କିଲୋମିଟର ଦୂରରେ ଥିବା ନଦୀ ବନ୍ଧରେ ଅବସ୍ଥିତ ଶ୍ରୀସାଇଲାମ ହାଇଡେଲ ପାୱାର ପ୍ଲାଣ୍ଟରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ପ୍ଲାଣ୍ଟରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।