
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୦୧/୨୦୨୧ : ଭାରତୀୟ ରେଳବାଇ ଟ୍ରେନରେ ପୁଣି ଇ-କ୍ୟାଟରିଂ ସେବା ଆରମ୍ଭ କରିଛି । କିନ୍ତୁ କ୍ୟାଟରିଂ ସେବା ବର୍ତ୍ତମାନ ଅଳ୍ପ କିଛି ଷ୍ଟେସନରେ ହିଁ ଆରମ୍ଭ ହେବ । ଯେଉଁ ଷ୍ଟେସନମାନଙ୍କରେ ଇ-କ୍ୟାଟରିଂ ସେବା ଦିଆଯିବ ସେଠାରେ କେନ୍ଦ୍ର ଓ ସମ୍ବନ୍ଧୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରାଯିବ । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଗାଇଡଲାଇନକୁ ଦୃଷ୍ଟିରେ ରଖି ଟ୍ରେନରେ କ୍ୟାଟରିଂ ବ୍ୟବସ୍ଥା, ଏସି କୋଚରେ କମ୍ବଳ, ତକିଆ, ଚାଦର ଆଦି ସେବା ବନ୍ଦ କରିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ଟ୍ରେନରେ ଇ-କ୍ୟାଟରିଂ ସେବା ପୁଣିଥରେ ଆରମ୍ଭ କରିବାକୁ ଅନୁମତି ଦେଇଛି ।I.R.C.T.C ର ଏହି ସୁବିଧା ମାଧ୍ୟମରେ ଯାତ୍ରୀ ଅନଲାଇନରେ ନିଜ ପସନ୍ଦର ଖାଇବା ଅର୍ଡର କରିପାରିବେ । ଅର୍ଡର କରିବା ସମୟରେ ଯାତ୍ରୀଙ୍କୁ ସୂଚାଇ ଦିଆଯିବ ଯେ ତାଙ୍କ ଖାଇବା କେଉଁ ଷ୍ଟେସନରେ ଓ କେଉଁ ସମୟରେ ପହଞ୍ଚିବ । ଯାତ୍ରୀକୁ କୁଆଡେ ଯିବାକୁ ପଡ଼ିବନି ।
I.R.C.T.C କିଛି ବଛା ରେଳ ଷ୍ଟେସନରେ ଇ-କ୍ୟାଟରିଂ ସେବା ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟର ଅନୁମତି ମାଗିଥିଲା ଯାହାକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଛି । I.R.C.T.C ୨୦୨୧ ଜାନୁଆରୀ ଶେଷ ସପ୍ତାହରୁ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଛି । ଭାରତୀୟ ରେଳବାଇ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି । ରେଳବାଇ ଟ୍ୱିଟ କରିଛି ଯେ ମନୋନୀତ ରେଳ ଷ୍ଟେସନରେ ଇ-କ୍ୟାଟରିଂ ସେବା ପୁନଃ ଆରମ୍ଭ କରିବାକୁ ଅନୁମତି ମିଳିଛି ।କମ୍ପାନୀ କଡାକଡି ଭାବେ ଗାଇଡଲାଇନ ଜାରି କରିଛି । ପରିଚାଳନା ସମୟରେ ରେସ୍ତୋରାଁ କର୍ମଚାରୀ ଓ ଡେଲିଭରୀ କର୍ମୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ, ନିୟମିତ ଅନ୍ତରାଳରେ ରୋଷେଇ ଘର ସଫେଇ, ରେସ୍ତୋରାଁ ଓ ଡେଲିଭରୀ କର୍ମଚାରୀ ମାସ୍କ ଓ ଫେସ ଶିଲ୍ଡ ବ୍ୟବହାର କରିବା ଆଦି ସାମିଲ ଅଛି । ତାଛଡା ଶରୀର ତାପମାନ ୯୯ ଡିଗ୍ରୀରୁ କମ୍ ଥିଲେ ହିଁ ଭୋଜନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଲିଭରୀ କର୍ମୀ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବା ଅନିବାର୍ଯ୍ୟ । ଏହାସହ ଡେଲିଭରୀ ପରେ ଡେଲିଭରୀ ବ୍ୟାଗ୍ ସାନିଟାଇଜ୍ ମଧ୍ୟ ସାମିଲ ।