ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ମହଙ୍ଗା ହେବ ମୋବାଇଲରେ କଥାବାର୍ତ୍ତା ଏବଂ ଇଣ୍ଟରନେଟ୍ ବ୍ୟବହାର । ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ରୁ ୨୦ ପ୍ରତିଶତ ବଢାଇପାରନ୍ତି ଟେଲିକମ୍ କମ୍ପାନୀ । ସେମାନଙ୍କ କହିବା କଥା ଯେ ଟେଲିକମ୍ କମ୍ପାନୀ ଗୁଡିକ ଏବେ ଅନେକ ପରିମାଣର କ୍ଷତି ସହୁଥିବାରୁ ଏଭଳି ନିଷ୍ପତ୍ତି ନେବା ଛଡା ଅନ୍ୟ କୌଣସି ଉପାୟ ନାହିଁ । ସରକାର ଏଜିଆର ଜରିଆରେ ବିପୁଳ ପରିମାଣର ରାଜସ୍ବ ଆଦାୟ କରୁଥିବାରୁ ଟେଲିକମ୍ ସେକ୍ଟର ଗୁଡିକ ବିପୁଳ ପରିମାଣର କ୍ଷତି ସହୁଛନ୍ତି ।
ସୂଚନା ଅନୁସାରେ ଭୋଡାଫୋନ-ଆଇଡିଆ ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ ରୁ ୨୦ ପ୍ରତିଶତ ବଢାଇପାରନ୍ତି । ଭାରତୀ ଏୟାରଟେଲ ମଧ୍ୟ ମୋବାଇଲ ଟାରିଫ୍ ବଢାଇାବା ନେଇ ପୂର୍ବାଭାସ ମିଳିଛି । କିନ୍ତୁ ରିଲାଏନ୍ସ ଜିଓ ଟାରିଫ୍ ବଢାଇବା ନେଇ ପଦକ୍ଷେପ ନେବା ପରେ ଏୟାରଟେଲ ତାର ପଦକ୍ଷେପ ନେଇପାରେ । ସରକାର ଏଜିଆର ଦ୍ବାରା ବିପୁଳ ପରିମାଣର ରାଜସ୍ବ ଆଦାୟ କରୁଥିବାରୁ ଟେଲିକମ୍ କମ୍ପାନୀ ଗୁଡିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ବଢାଇବାକୁ ହେବ ବୋଲି କେତେକ କମ୍ପାନୀ ଦାବି କରିଛନ୍ତି କିନ୍ତୁ ଏକାଥରେ ୨୫ ପ୍ରତିଶତ ଟାରିଫ୍ ବଢାଇବା ସମ୍ଭବ ନୁହେଁ । ସେଥିପାଇଁ କମ୍ପାନୀ ଦୁଇ ଥର କିମ୍ବା ତିନି ଥରରେ ଟାରିଫ୍ ବଢାଇବାକୁ ପଦକ୍ଷେପ ନେଇପାରନ୍ତି ।
୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ ଭାରତୀ ଏୟାରଟେଲ ସବୁଠାରୁ ଅଧିକ ରୋଜଗାର କରିଛି । ଭାରତୀ ଏୟାରଟେଲ ପ୍ରତି ଗ୍ରାହକ ପିଛା ୧୬୨ ଟଙ୍କାର ରାଜସ୍ବ କମାଇଛି । ସେହିଭଳି ରିଲାଏନ୍ସ ଜିଓ ୧୪୫ ଏବଂ ଭୋଡାଫୋନ-ଆଇଡିଆ ୧୧୯ ଟଙ୍କା ରାଜସ୍ବ ଆକାରରେ ପାଇଛି । ସରକାରଙ୍କ ଦ୍ବାରା ଆଦାୟ ହେଇଥିବା ଏଡଜଷ୍ଟେଡ୍ ଗ୍ରୋସ ରେଭିନ୍ୟୁ (ଏଜିଆର) ପାଇଁ ଟେଲିକମ୍ କମ୍ପାନୀ ଗୁଡିକୁ ବ୍ୟାପକ କ୍ଷତି ସହିବାକୁ ପଡୁଛି । ଏଜିଆର ଆଦାୟ କାରଣରୁ ଗତ ବର୍ଷ ଭୋଡାଫୋନ-ଆଇଡିଆ ୫୦ ହଜାର ୯୨୧ କୋଟି ଟଙ୍କାର କ୍ଷତି ସହିଥିଲା । ତେବେ ସୁପ୍ରିକୋର୍ଟ ଏଜିଆରର ବକେୟା ପରିମାଣ ଶୁଝିବା ପାଇଁ କମ୍ପାନୀକୁ ୧୦ ବର୍ଷ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କାରଣରୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ବକେୟା ପୈଠ କରିବା ପାଇଁ କିଛି ସମୟ ମଧ୍ୟ ପାଇଛନ୍ତି ।