

ସତ୍ୟଶିଖା( ଭୁବନେଶ୍ୱର )୦୬ .୦୭ . ୨୦୨୨: ବିଧାନସଭାରେ ଏମଏସପି ତାତି । ଏମଏସପିକୁ ନେଇ ବିଷ୍ଣୁ-ରଣେନ୍ଦ୍ର-ତାରା ମୁହାଁମୁହିଁ ହୋଇଛନ୍ତି । ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବଲ୍ ଗଡାଇବା ଠିକ୍ ନୁହେଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସବୁ କଥାରେ ମୋ ସରକାର, ମୋ ବସ୍, ମୋ ସାଇକେଲ୍ କରୁଛନ୍ତି । ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁନାହାନ୍ତି କାହିଁକି । ସବସିଡି ଦେଉଛନ୍ତି, ସବୁ ସହାୟତା କରୁଛନ୍ତି ବୋଲି କହୁଛନ୍ତି ମାତ୍ର ଜଣେ ଯୁବ ଇଞ୍ଜିନିୟର ଆସିଲେ ଏ ବାବୁରୁ ସେ ବାବୁ ପାଖକୁ ଦଉଡ଼ି ଦଉଡି ଆତ୍ମହତ୍ୟା କରୁଛନ୍ତି ।
ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । ବରଗଡ଼ରେ ଯେଉଁ ଶହେ ଟଙ୍କା ବୋନସ୍ ଘୋଷଣା କରିଥିଲ ତାହା କୁଆଡେ ଗଲା । ଆନ୍ଧ୍ରପ୍ରଦେଶରୁ ଫୁଲ, ଆଳୁ ଆସୁଛି । ଆନ୍ଧ୍ରରୁ ଫୁଲ ନ ଆସିଲେ ମନ୍ତ୍ରୀଙ୍କ ବେକରେ ମାଳ ପଡ଼ିବନି । ମେ’ଫେୟାର ଯେଉଁ ମକା ଖାଉଛୁ ତାହା ନବରଙ୍ଗପୁରର, ମାତ୍ର ପଲାସାରେ ପ୍ରୋସେସିଂ ହୋଇକି ଆସୁଛି ।
ସେପଟେ ବିଷ୍ଣୁଙ୍କୁ କାଉଣ୍ଟର କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଛନ୍ତି ୨୦୧୪ରେ ଆପଣ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା । ନିଜ ବାକ୍ୟ ନିଜେ ରକ୍ଷା କର । ୨୦୧୭ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ମାତ୍ର ତାହା କାର୍ଯ୍ୟରେ ପରିଣତ ହୋଇ ନାହିଁ । ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ଦାବି କରିଛନ୍ତି, ମନ୍ତ୍ରୀ ସଂକଳ୍ପ ଆଣନ୍ତୁ, ସମସ୍ତ ବିଧାୟକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଭେଟିବା ଆଉ ଯଦି ନ ଶୁଣିବେ ତାଙ୍କ ଅଫିସ୍ ଆଗରେ ଧାରଣା ଦେବା ।