ନ୍ୟୁଜ୍ରାଜ୍ୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ପୁସ୍ତକ ଲେଖି ଚର୍ଚ୍ଚାରେ ଜଗତସିଂହପୁରର ଝିଅ ତେଜସ୍ୱିନୀ

ସତ୍ୟଶିଖା( ଜଗତସିଂହପୁର )୧୦.୧୦.୨୦୨୨: ଖେଳିବୁଲି ପାଠପଢିବା ବୟସରେ ସେ କରିଛନ୍ତି ଏମିତି କାର୍ଯ୍ଯ ଯେଉଁଥି ପାଇଁ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସାଙ୍ଗମାନଙ୍କ ସହିତ ସେଲ୍ଫି ଉଠାଇବାରେ ସମୟ ନଷ୍ଟ ନ କରି ସେ ଭାବିଛନ୍ତି ଦେଶ ଓ ଜାତିକଥା । ସେ ପୁଣି ଆଉ କେହି ନୁହଁ ଦେଶର ସର୍ବୋଚ୍ଚ ପାହ୍ଯାରେ ଥିବା ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କଥା । ମାତ୍ର ୧୭ ବର୍ଷ ବୟସରେ ସେ ଚିନ୍ତାକଲେ ରାଷ୍ଟ୍ରପତିଙ୍କ ଉପରେ ଏକ ଜୀବନୀ ପୁସ୍ତକ ରଚନା କରିବାକୁ। ଆଉ ଏହି ପ୍ରୟାସ ତାଙ୍କୁ ଏବେ ଚର୍ଚ୍ଚାକୁ ଟାଣିଆଣିଛି।

ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁର ଗ୍ରାମର ପିତା ଶୁଭେନ୍ଦୁ କୁମାର ପଣ୍ଡା ଓ ମାତା କଳ୍ପନା ଦାସଙ୍କ କନ୍ଯା ସୁଶ୍ରୀ ତେଜସ୍ବିନୀ ପଣ୍ଡାଙ୍କ କୃତିତ୍ୱ ବିଷୟରେ । ତେଜସ୍ବିନୀଙ୍କୁ ପିଲାଦିନୁ ଲେଖାଲେଖି ଉପରେ ରୁଚି ଥିବାର ସ୍ପଷ୍ଟ ବାରି ହେଇପଡୁଥିଲା । ପ୍ରଥମେ ତାଙ୍କର କବିତା ସଙ୍କଳନ ହୃଦୟ ତୀରେ  ରାଜ୍ଯପାଳ ଗଣେଶି ଲାଲଙ୍କ ଦ୍ବାରା ଉନ୍ମୋଚିତ ହେବା ପରେ ଆଉ ଦୁଇପାଦ ଆଗକୁ ଯାଇ ଚିନ୍ତା କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ପୁସ୍ତକ ରଚନା ପାଇଁ ଏବଂ ଲେଖିବା ଆରମ୍ଭ କଲେ ମହାମହିମ ରାଷ୍ଟ୍ରପତିଙ୍କ ଜୀବନୀ ପୁସ୍ତକ ଓ ଲେଖିଲେ ’ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଓଡ଼ିଆ ଅସ୍ମିତାର ପ୍ରତୀକ’ । ଏହି ପୁସ୍ତକ ଏବେ ଟାଇମ ପାସ ପବ୍ଲିକେଶନ ଦ୍ୱାରା ଲୋକାର୍ପଣ ହୋଇଯାଇଛି ଓ ବୋଧହୁଏ ଏହା ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ପ୍ରଥମ ଓଡ଼ିଆ ପୁସ୍ତକ । ଏହା ପବ୍ଲିକେଶନ ହେଲା ପରେ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାରେ ଅଛନ୍ତି ତେଜସ୍ବିନୀ ।

ଜେଜେବାପା ସ୍ୱର୍ଗତ ଦୁର୍ଯେ୍ଯାଧନ ପଣ୍ଡା ଭାରତୀୟ ବାୟୁସେନାରେ ଜଣେ ଅଧିକାରୀ ଭାବେ କାମ କରିଥିବା ବେଳେ ପିତା ଶୁଭେନ୍ଦୁ କୁମାର ପଣ୍ଡା ଏବେ ଓଡିଶା ପୋଲିସରେ କାର୍ଯ୍ଯରତ । ମା କଳ୍ପନା ଦାସ ଜଣେ ସୁଗୃହିଣୀ ହୋଇଥିବାବେଳେ ସାନଭଉଣୀ ରାଜସ୍ବିନୀ ପଣ୍ଡା ପଞ୍ଚମ ଶ୍ରେଣୀର ଛାତ୍ରୀ । ଅବସର ସମୟରେ ସେ ବହି ପଢିବା ,କବିତା ଲେଖିବା , ଚିତ୍ର ଆଙ୍କିବା ,ଗୀତ ଗାଇବା ଆଦି କାର୍ଯ୍ଯ ସହିତ ସାନ ଭଉଣୀ ସହ ଖେଳିବା ଓ ମାଆଙ୍କୁ ଘର କାମରେ ସାହାର୍ଯ୍ଯ କରିବା ଆଦି କରିଥାନ୍ତି । ଏହି ସୃଜନଶୀଳ ଲେଖା ପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ କବୟିତ୍ରୀ ଗୌରବ ସମ୍ମାନ , ଯୁବ ପ୍ରତିଭା ସମ୍ମାନ , ସାହିତ୍ୟ ବୀଣା ସମ୍ମାନ ସହିତ ପ୍ରିୟ ମୁଖ୍ଯମନ୍ତ୍ରୀଙ୍କଠାରୁ ମଧ୍ୟ ପ୍ରଶଂସାପତ୍ର ପାଇଛନ୍ତି ।

ଭବିଷ୍ଯତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ସାହିତ୍ୟ ଜଗତରେ ଜଣେ ଆଗଧାଡ଼ିର ସ୍ରଷ୍ଟା ହୋଇ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ କାମ କରିବାକୁ ଚାହାନ୍ତି ବୋଲି କହିଛନ୍ତି ତରୁଣ ଲେଖିକା ତେଜସ୍ବିନୀ । ସମୟ ସୁଯୋଗ ମିଳିଲେ ରାଷ୍ଟ୍ରପତିଙ୍କୁ ଭେଟି ଏହି ପୁସ୍ତକ ତାଙ୍କୁ ଉପହାର ଦେବେ ବୋଲି ଆଶା ରଖିଛନ୍ତି । ଏହି ଅବସରରେ ଆମେ ଆଶା ରଖିବା ତାଙ୍କ ଲେଖା ସାହିତ୍ୟଜଗତକୁ ଋଦ୍ଧିମନ୍ତ କରୁ ଓ ସାହିତ୍ୟ ଜଗତରେ ଜଣେ ପ୍ରତିଷ୍ଠିତ ସ୍ରଷ୍ଟା ଭାବେ ସେ ସୁନାମ ଅର୍ଜନ କରନ୍ତୁ ।

Show More
Back to top button