

ସତ୍ୟଶିଖା(ନୂଆଦିଲ୍ଲୀ) ୧୫ .୦୫.୨୦୨୧: ଶନିବାର ସକାଳେ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ତଉକତେ’। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଉଗ୍ରରୂପ ଧାରଣ କରି ମଙ୍ଗଳବାର ସୁଦ୍ଧା ଗୁଜରାଟ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।
ଭାରତୀୟ ପାଣିପାଗ ବିଭାଗ ଟୁଇଟ୍ରେ ଲେଖିଛି ଗଭୀର ଅବପାତ ସାମୁଦ୍ରିକ ବାତ୍ୟା ‘ତଉକତେ’ରେ ରୂପାନ୍ତରିତ ହୋଇ ଲକ୍ଷଦ୍ଵିପ ଅଞ୍ଚଳ ଓ ଏହାର ସନ୍ନିକଟ ଦକ୍ଷିଣପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି। ସେଥିପାଇଁ ଦକ୍ଷିଣ ଗୁଜରାଟ ଓ ଡିୟୁ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଭାରତର ପଶ୍ଚିମ ଉପକୂଳରେ ‘ତଉକତେ’ ସ୍ଥଳଭାଗରେ ପ୍ରବେଶ କରିବାକୁ ଥିବାରୁ ରାଜ୍ୟ ପ୍ରଶାସନକୁ ସହଯୋଗ କରିବ ବୋଲି ଭାରତୀୟ ନୌସେନା ପ୍ରତିଶ୍ରୁତି ଦେଇଛି। ଟୁଇଟ୍ କରି ନୌସେନାର ମୁଖପାତ୍ର କହିଛନ୍ତି ସାମୁଦ୍ରିକ ବାତ୍ୟା ‘ତଉକତେ’ ଭାରତର ପଶ୍ଚିମ ଉପକୂଳ ଦେଇ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟ ପ୍ରଶାସନକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ଭାରତୀୟ ନୌସେନାର ଜାହାଜ, ବିମାନ, ହେଲିକପ୍ଟର୍, ‘ଡାଇଭିଙ୍ଗ୍ ଆଣ୍ଡ୍ ଡିଜାଷ୍ଟର୍ ରିଲିଫ୍ ଟିମ୍’ ସଜାଗ ଅଛନ୍ତି।
ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ୫୦ଜଣିଆ ‘ଏନ୍ଡିଆର୍ଏଫ୍’ ଟିମ୍ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ର ଆଦି ୫ଟି ରାଜ୍ୟରେ ପ୍ରସ୍ତୁତ ରହିଛନ୍ତି। ମେ’ ୧୮ ତାରିଖ ସକାଳେ ‘ ‘ତଉକତେ’ ଗୁଜରାଟ ଉପକୂଳରେ ପହଞ୍ଚିବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା।