

ସତ୍ୟଶିଖା( ଭୁବନେଶ୍ୱର )୧୧.୦୫.୨୦୨୨ :ତାଳଚେର: ତାଳଚେର ମେଡ଼ିକାଲ କଲେଜ ପରିଚାଳନା ଏବଂ ତାଳଚେରରୁ ଏନ୍ଟିପିସି କଣିହାଁ ପର୍ଯ୍ୟନ୍ତ ପାେସଞ୍ଜର ଟ୍ରେନ ଚଳାଚଳ ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ‘ତାଳଚେର ବନ୍ଦ’ ଡାକରା ଦିଆଯାଇଥିଲା। ତେବେ ଦାବି ପୂରଣ ଲାଗି ଏମ୍ସିଏଲ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନକାରୀ ବନ୍ଦ ପାଳନରୁ ଓହରିଯାଇଥିଲେ। ଆଜି ସକାଳେ ଏମ୍ସିଏଲ୍ର ତାଳଚେର ଓ କଣିହାଁର ସମସ୍ତ କୋଇଲା ଖଣିକୁ ବିକ୍ଷୋଭକାରୀ ବନ୍ଦ କରି ଦେଇଥିବା ବେଳେ ତାଳଚେର ବସ୍ଷ୍ଟାଣ୍ଡ, କୋଲ୍ କରିଡ଼ର ରାସ୍ତା, ବହ୍ଲର ଛକ ଏବଂ ତାଳଚେର ଟାଉନ୍ର ସମସ୍ତ ଦୋକାନବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବୁଲିବୁଲି ବନ୍ଦ କରାଇଥିଲେ। ଫଳରେ ତାଳଚେର ସହରରେ କାଁ ଭାଁ ଦୋକାନବଜାର ଖୋଲା ରହିଥିବା ବେଳେ ରାସ୍ତାରେ ବସ୍ ଓ ଟ୍ରକ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ସେହିଭଳି ଆନ୍ଦୋଳନକାରୀମାନେ ଏନ୍ଟିପିସି କଣିହାଁ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କର୍ମଚାରୀଙ୍କ ଯାତାୟାତରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା। ଏଥିସହ ବନ୍ଦ ପାଳନ ବେଳେ ସୁରକ୍ଷା ମଞ୍ଚର ସଦସ୍ୟମାନେ ତାଳଚେର ମେଡିକାଲ କଲେଜ ତଥା ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।