୨୪ ଘଣ୍ଟାରେ ୩୮୧ ସୁସ୍ଥ, ଆରୋଗ୍ୟ ହାର ୨୨.୧୭କୁ ବୃଦ୍ଧି


ନୂଆଦିଲ୍ଲୀ: ମହାମାରୀ କରୋନା ଲଢ଼େଇ ଭିତରେ ସରକାର ଭଲ ଖବର ଦେଇଛନ୍ତି। ଦେଶରେ କରୋନା ରୋଗୀଙ୍କ ସୁସ୍ଥ ହେବା ହାର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଏହା ୧୫ରୁ ୨୦% ମଧ୍ୟରେ ରହୁଥିଲା। ହେଲେ ଦେଶରେ ଆରୋଗ୍ୟ ହାର ୨୨.୧୭%ରେ ପହଞ୍ଚି ଯାଇଛି।
ସେହିପରି ଗତ ୨୪ ଘଣ୍ଟାରେ ୩୮୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୬,୧୮୫ରେ ପହଞ୍ଚି ଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୪ ଘଣ୍ଟାରେ ୧୩୯୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୭,୮୯୨ ଛୁଇଁଛି। ଆକ୍ରାନ୍ତ ହୋଇଥିବା ୨୭, ୮୯୨ ଜଣଙ୍କ ମଧ୍ୟରୁ ୨୦,୮୩୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଆହୁରି ପଢ଼ନ୍ତୁ
ଏଯାଏ ଦେଶରେ କରୋନା ଯୋଗୁ ୮୭୨ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୫ଟି ଜିଲ୍ଲାରୁ ଗତ ୧୪ ଦିନ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଏଥିମଧ୍ୟରୁ ୧୬ଟି ଜିଲ୍ଲାରେ ୨୮ ଦିନ ହେଲା କରୋନା ରୋଗୀ ସାମ୍ନାକୁ ଆସିନାହାନ୍ତି ବୋଲି ସେ କହିଛନ୍ତି।
କରୋନା ଦ୍ୱାରା ମହାରାଷ୍ଟ୍ରରେ ସର୍ବାଧିକ ୩୪୨ ଜଣ ପ୍ରାଣ ହରାଇଥିବା ବେଳେ ମଧ୍ୟପ୍ରଦେଶରେ ୧୦୩, ଗୁଜରାଟରେ ୧୫୧, ଦିଲ୍ଲୀରେ ୫୪, ଆନ୍ଧ୍ର ପ୍ରଦେଶରେ ୩୧,କର୍ଣ୍ଣାଟକାରେ ୧୯, ପଞ୍ଜାବରେ ୧୮, ରାଜସ୍ଥାନରେ ୩୩, ତାମିଲନାଡୁରେ ୨୪, ତେଲେଙ୍ଗାନାରେ ୨୬, ଉତ୍ତର ପ୍ରଦେଶରେ ୨୯ ଓ ପଶ୍ଚିମବଙ୍ଗରେ ୨୦ ଜଣ ପ୍ରାଣ ହରାଇଛନ୍ତି।