କରୋନା ପାଇଁ ନୂଆ ନିୟମ ଜାରି କଲା ଆଇସିସି, ବଲ୍ରେ ଲାଳ ମାରିବା ମନା


ଦୁବାଇ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ସାମୟିକ ଭାବେ ନିୟମ ପରିବର୍ତ୍ତନ କରିଛି। ଏ ସଂକ୍ରାନ୍ତରେ ଆଜି ଆଇସିସି ପକ୍ଷରୁ ଗାଇଡଲାଇନ ଜାରି କରିଛି। ନୂଆ ନିୟମ ଅନୁଯାୟୀ, ଏଣିକି ବଲ୍କୁ ସାଇନ କରିବା ପାଇଁ ଖେଳାଳିମାନେ ଏହା ଉପରେ ଆଉ ଲାଳ ବା ଛେପ ଲଗାଇ ପାରିବେ ନାହିଁ।
ଯଦି କେହି ଏପରି କରେ, ତେବେ ପୂରା ଟିମ ପାଇଁ ଦଣ୍ଡ ବିଧାନ କରାଯିବ। ସେହିପରି ଟେଷ୍ଟ ମ୍ୟାଚ୍ରେ ବଦଳ ଖେଳାଳି ନିୟମ ବି ଆଇସିସି ପ୍ରଣୟନ କରିଛି। ଆଇସିସି ଏକ ବିବୃତିରେ କହିଛି ଯେ ଯଦି କୌଣସି ଟେଷ୍ଟ ମ୍ୟାଚ୍ରେ ଖେଳାଳିଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଏ, ତା’ହେଲେ ଅମ୍ପାୟରଙ୍କ ଅନୁମତିକ୍ରମେ ତାଙ୍କୁ ଟିମ ପକ୍ଷରୁ ବଦଳା ଯାଇପାରିବେ।
ଆହୁରି ପଢ଼ନ୍ତୁ
ମ୍ୟାଚ୍ ରେଫରୀ ହିଁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଉହାହରଣ ସ୍ୱରୂପ, ଯଦି ଜଣେ ଅଲରାଉଣ୍ଡରଙ୍କ କରୋନା ଲକ୍ଷଣ ଦେଖାଯାଏ, ତା’ହେଲେ ଜଣେ ଅଲରାଉଣ୍ଡରଙ୍କୁ ହିଁ ବଦଳ ଖେଳାଳି ଭାବେ ନିଆଯାଇପାରିବ। ତେବେ ଦିନିକିଆ ଓ ଟି-୨୦ରେ ଏହି ବଦଳ ଖେଳାଳି ନିୟମ ଲାଗୁ ହେବନାହିଁ।
ବଲ ଉପରେ ଲାଳ ବ୍ୟାନ ସମ୍ପର୍କରେ ଆଇସିସି କହିଛି ଯେ ଖେଳାଳିମାନେ ବଲକୁ ସାଇନ କରିବା ପାଇଁ ଲାଳ ବା ଛେପ ବଲ ଉପରେ ଲଗାଇ ପାରିବେ ନାହିଁ। ଯଦି କୌଣସି ଖେଳାଳି ଭୁଲ ବଶତଃ ଲାଳ ଲଗାଇ ଦେଲେ, ତା’ହେଲେ ପ୍ରାଥମିକ ସ୍ତରରେ ଅମ୍ପାୟାର ହିଁ ସ୍ଥିତିକୁ ରଫାଦଫା କରିବେ।
ପ୍ରତି ଇନିଂସରେ ଗୋଟିଏ ଦଳକୁ ଲାଳ ଲଗାଇଲେ ଦୁଇ ଥର ଅମ୍ପାୟର ୱାର୍ଣ୍ଣିଂ ଜାରି କରିବେ। ତେବେ ବାରମ୍ବାର ବଲରେ ଲାଳ ଲଗାଇଲେ ଟିମ୍ ଉପରେ ୫ ରନ୍ର ପେନାଲ୍ଟି ଲାଗୁ କରାଯିବ। ସେହିପରି ବଲରେ ଲାଳ ଲାଗିବା ମାତ୍ରେ ଅମ୍ପାୟାର ଏହାକୁ ତୁରନ୍ତ ସଫା କରିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।






