
ସତ୍ୟଶିଖା (ଭୁବନେଶ୍ୱର) ୧୫/୧୨/୨୦୨୦ : ଗିରଫ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଚତୁର୍ଥ ଦିନ ପାଇଁ ଜେରା କରାଯାଇଛି । ଆକାଶ ଟାଟା ମୋଟର୍ସର ଏମ୍ଡି ନଥିବା କ୍ରାଇମବ୍ରାଞ୍ଚ୍ ଜାଣିବାକୁ ପାଇଛି । ପତିଆରା ଦେଖାଇବା ପାଇଁ ସେ ଏମିତି କରି ଲୁଟୁଥିବା ସୂଚନା ମିଳିଛି । ଏହାବ୍ୟତୀତ ଏବେ ସେ ଭାବି ଶ୍ୱଶୁରଙ୍କୁ ବଞ୍ଚାଇବାକୁ ଭରପୂର ଉଦ୍ୟମ କରୁଛନ୍ତି । ଭାବି ଶ୍ୱଶୁରଙ୍କ କିଛି ଭୁଲ୍ ନାହିଁ ବୋଲି କହୁଛନ୍ତି ଆକାଶ । ଆହୁରି ମଧ୍ୟ କିଛି ତଥ୍ୟ ସେ ଲୁଚାଉଛନ୍ତି । ଏଥିପାଇଁ ଆକାଶଙ୍କ ପଲିଗ୍ରାଫ୍ ଟେଷ୍ଟ (ମିଛ ଧରା ପରୀକ୍ଷା) କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ କହିଛି ।
ଜେରା ବେଳେ କ୍ରାଇମ୍ବ୍ରାଞ୍ଚ ଆକାଶ ଠାରୁ ଅନେକ କିଛି ସତ ବାହାର କରିଛି । ଟାଟା ମୋଟର୍ସରେ ଚାକିରି କରୁନଥିବା ମାନିବା ସହ ଷ୍ଟାଟସ୍ ଦେଖାଇବାକୁ ଏଭଳି ଜାଲିଆତି କରୁଥିବା ଆକାଶ କ୍ରାଇମ୍ବ୍ରାଞ୍ଚ ଆଗରେ ସ୍ୱୀକାର କରିଛି । ଖାଲି ସେତିକି ନୁହେଁ ଟାଟା କମ୍ପାନୀରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ବେକାର ଯୁବକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟକୁ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଟଙ୍କା ଆଦାୟରେ ଭାବି ଶ୍ୱଶୁର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅନେକ ସହଯୋଗ ଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।କିନ୍ତୁ ଆକାଶ ପ୍ରଦୀପ ପାଣିଗ୍ରାହୀଙ୍କ ଦୋଷକୁ ଘଣ୍ଟ ଘୋଡାଉଛନ୍ତି । ସେ କହୁଛନ୍ତି, ଏଥିରେ ଭାବି ଶ୍ୱଶୁରଙ୍କ କୌଣସି ଭୂମିକା ନାହିଁ । ଗୋପାଳପୁରରେ ୬୪ରୁ ଅଧିକ ବିସ୍ଥାପିତଙ୍କୁ ଟାଟା କମ୍ପାନୀରେ ଚାକିରି ଲୋଭ ଦେଖାଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା କାହା ଜରିଆରେ ଆଦାୟ ହେଉଥିବା ନେଇ କୌଣସି ସ୍ପଷ୍ଟ ଉତ୍ତର ପାଇନାହାନ୍ତି କ୍ରାଇମ୍ବ୍ରାଞ୍ଚ ଟିମ । ତେବେ ଚାକିରି ନଥାଇ କୋଟି କୋଟି ଟଙ୍କା କେଉଁଠୁ ଆସିଲା? ମୁମ୍ବାଇରେ ଫ୍ଲାଟ୍ ଓ ଫାର୍ମ ହାଉସ୍ ଭଡ଼ା କିଏ ଦେଉଥିଲା? ଦାମୀ ଗାଡି କିଣିବା ସମୟରେ ନଗଦ ଟଙ୍କା କିଏ ଦେଇଥିଲା ? ଏ ସବୁ ପ୍ରଶ୍ନର ମଧ୍ୟ ସ୍ପଷ୍ଟ ଉତ୍ତର ଦେଉନାହାନ୍ତି ଆକାଶ । ସେ ଆଧାରୁ ଅଧିକ ମିଛ କହୁଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ସେଥିପାଇଁ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ । ଏନେଇ ଖୁବ୍ ଶୀଘ୍ର ଆବେଦନ କରାଯିବ ବୋଲି ସୂଚନା ମିଳିଛି ।
ସେହିଭଳି ବିଧାୟକ ପ୍ରଦୀପଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମ୍ବ୍ରାଞ୍ଚ । ତାଙ୍କ ଜରିଆରେ ଆକାଶ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲେ । ସେ ବିଷୟରେ ପଚାରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ । ସେପଟେ ଆକାଶ ଜେଲ୍ ଯିବା ପରଦିନ ଜେଲ୍ରେ ଅଜବ କାଣ୍ଡ କରିଥିଲେ ବୋଲି ଶୁଣିବାକୁ ମିଳୁଛି । ଜେଲ୍ କର୍ତ୍ତୃପକ୍ଷଙ୍କୁ ଆକାଶ କହିଥିଲେ ଯେ, ମୋବାଇଲ୍ ଦେଲେ ସେ ରତନ ଟାଟାଙ୍କ ସହ କଥା ହେବ । ସେ ତାଙ୍କ ପାଇଁ କିଛି କହିବ । କିନ୍ତୁ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ ।