ସଂଘର୍ଷରେ ଚାଇନାର କମାଣ୍ଡିଂ ଅଫିସରଙ୍କ ସହ ୩୫ ଯବାନ ମୃତାହତ: ଆମେରିକା


ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ଭାରତ ସହ ସୃଷ୍ଟି ହୋଇଥିବା ସଂଘର୍ଷରେ ୩୫ ଜଣ ଚାଇନିଜ ଯବାନ ମୃତାହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ କମାଣ୍ଡିଂ ଅଫିସର ରହିଥିବା ଆମେରିକା ଗୁଇନ୍ଦା ବିଭାଗ ପକ୍ଷରୁ ଦାବି କରାଯାଇଛି। ଏହି ୩୫ ଜଣଙ୍କ ମଧ୍ୟରୁ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କିଛି ଗୁରୁତର ଆହତ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ୨୦ ଜଣ ଯବାନ ପ୍ରାଣ ହରାଇଥିବା ଆମେରିକା ଗୁଇନ୍ଦା ବିଭାଗ କହିଛି।
ତେବେ ଚାଇନା ପକ୍ଷରୁ ସଂଘର୍ଷରେ ପିଏଲଏର କେତେ ଜଣ ସଦସ୍ୟ ମୃତାହତ ହୋଇଛନ୍ତି ଏଯାଏ ସେ ସମ୍ପର୍କରେ କିଛି ବି କୁହାଯାଇନାହିଁ। ସୂତ୍ର ଅନୁସାରେ, ଭାରତ ସହ ସଂଘର୍ଷରେ ପିଏଲଏର ପ୍ରାୟ ୪୩ ଜଣ ଯବାନ ମୃତାହତ ହୋଇଥିବା ଖବର ଗତକାଲି ପ୍ରକାଶ ପାଇଥିଲା। ଏମାନଙ୍କୁ ଗଲୱାନ ଭ୍ୟାଲିରୁ ନେବା ପାଇଁ ଗତକାଲି ଚାଇନାର ହେଲିକପ୍ଟର ଚକ୍କର ମଧ୍ୟ ମାରୁଥିଲା। ହେଲେ ଚାଇନା କେବଳ ଭାରତକୁ ଦୋଷ ଦେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା କଥା କହିଛି।
ଆହୁରି ପଢ଼ନ୍ତୁ
ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ ବିପିନ ରାୱତ ଓ ୩ ସେନା ବାହିନୀର ମୁଖ୍ୟଙ୍କ ସହ ଜରୁରୀ ବୈଠକ କରିଛନ୍ତି। ଗତକାଲି ରାତିରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା ପରିଷଦର ବୈଠକ ବସିଥିଲା।
ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖ ଯୋଗଦେଇଥିଲେ।