

ସତ୍ୟଶିଖା ୦୨/୦୨/୨୦୨୧ : ଫେବ୍ରୁଆରି ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବ୍ରୁଆରି ୮ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ ପାଠ ପଢା । ଯାହା ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ । ସୋମବାର ଠାରୁ ଶନିବାର ଯାଏଁ ସକାଳ ୮ଟା ୩୦ ମିନିଟରୁ ଦିନ ୧୦ଟା ୩୦ ମିନିଟ ଯାଏଁ ପାଠ ପଢାହେବ । ଦୁଇ ଘଂଟାରେ ୩ଟି ପିରିୟଡରେ ପାଠପଢ଼ା ହେବ ।
ଏହି ସମୟରେ ଛାତ୍ରଛାତ୍ରୀଙ୍କୁ କୌଣସି ସାମୟିକ ବିରତି ଦିଆଯିବ ନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ଦିନ ହେବ । ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲା ୟୁନିଟ୍ ଟେଷ୍ଟ ଦେବେ । ଏପ୍ରିଲ୍ ଶେଷ ସପ୍ତାହରେ ହେବ ବାର୍ଷିକ ପରୀକ୍ଷା । ସେପଟେ ପୂର୍ବ ସୂଚୀ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ରବିବାର ଦିନ ମଧ୍ୟ ଜାରି ରହିବ । ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଦିନ ୧୧ଟାରୁ ଅପରାହ୍ଣ ୪ଟା ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ୭ଟି କ୍ଲାସ ହେବ । ଦିନ ଗୋଟାଏ ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ଅଧଘଂଟା ଖେଳଛୁଟି ବା ବିରତି ରହିବ ।
ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ପୂର୍ବଭଳି ଜାରି ରହିବ ଏବଂ ରବିବାର କ୍ଲାସ ହେବ। ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୭ଟି ପରିଅଡ୍ କ୍ଲାସ୍ କରାଯିବ। ଅପରାହ୍ଣ ୧ଟା ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଛୁଟି ହେବ। ୯ମ ଓ ଏକାଦଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ। ସିଫ୍ଟ ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲରେ ରିପୋର୍ଟିଂ କରିବେ। ପିରିଅଡ୍ଗୁଡ଼ିକର ଆଲଟ୍ମେଣ୍ଟ ଏମିତି ହେବ, ଯେମିତି ପ୍ରଥମ ସିଫ୍ଟରେ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କ୍ଲାସ୍ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ସରିବ। ଦ୍ବିତୀୟ ସିଫ୍ଟର ଶିକ୍ଷକ/ଶିକ୍ଷୟିତ୍ରୀ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ।
ଏପଟେ ଯୁକ୍ତ ୨ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ପରୀକ୍ଷା ପାଇଁ ଫର୍ମ ପୂରଣ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରେଗୁଲାର୍ ଓ ପତ୍ର ବିନିମୟ ପାଠ୍ୟକ୍ରମ ଲାଗି ଫେବ୍ରୁଆରୀ ୧୨ ତାରିଖରୁ ଫେବ୍ରୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ସମୟ ରହିଛି । ଅନଲାଇନରେ ଫର୍ମ ଫିଲପ୍ କରିପାରିବେ ଛାତ୍ରଛାତ୍ରୀ । ତେବେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ୬ ତାରିଖରୁ ୧୨ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।