

ସତ୍ୟଶିଖା: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ କଟକଣା ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ୫୦ ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପ୍ରବାସୀ ଶ୍ରମିକ ମାନଙ୍କୁ ୨୫ ପ୍ରକାର କାମ ଯୋଗାଇ ଦିଆଯିବ । ଏଥିପାଇଁ ଏସବୁ ରାଜ୍ୟର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।
ପ୍ରବାସୀ ଶ୍ରମିକମାନଙ୍କୁ ମନରେଗା ଓ ନିକଟରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ କାମଧନ୍ଦା ଯୋଗାଇଦେବା ଲାଗି ପ୍ରୟାସ କରାଯାଉଛି। ସେମାନଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲାଗି ଜନ ଧନ ଯୋଜନା, କିସାନ କଲ୍ୟାଣ ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ପିଏମ୍ ଆବାସ ଯୋଜନାକୁ ବ୍ୟବହାର କରାଯିବ।