ହାଥରସ ପରେ ବଳରାମପୁରରେ ଗଣଦୁଷ୍କର୍ମ ପୀଡିତା ଛାତ୍ରୀଙ୍କ ମୃତ୍ୟୁ l

ସତ୍ୟଶିଖା (ବଳରାମପୁର) ୦୧/୧୦/୨୦୨୦ : ୟୁପି ହାଥରସ ଘଟଣା ପରେ ବଳରାମପୁରରେ ଜଣେ ୨୨ ବର୍ଷ ବୟସ୍କା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲକୁ ନେବବେଳେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାଟି ମଙ୍ଗଳବାର ଦିନ ବଳରାମପୁର କୋତବାଲି ଗୈସଡି ଅଞ୍ଚଳରେ ଘଟିଥିଲା । ପୀଡିତାଙ୍କ ମାଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଝିଅର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ସେ ଠିଆ ହୋଇପାରୁନଥିଲେ ।ପୀଡିତାଙ୍କ ମା କହିଛନ୍ତି ତାଙ୍କ ଝିଅ ମଙ୍ଗଳବାର ଦିନ ପ୍ରାୟ ୧୦ଟା ବେଳେ କଲେଜରେ ଆଡମିସନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ବନ୍ଦ ଥିଲା । ପ୍ରାୟ ୭ଟା ବେଳେ ଜଣେ ରିକ୍ସା ଚାଳକ ତାଙ୍କ ଝିଅକୁ ବେହୋସ ଅବସ୍ଥାରେ ଆଣିଥିଲେ । ସେତେବେଳେ ତାଙ୍କ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ସେହି ସମୟରେ ସେ କିଛି କହି ପାରୁନଥିଲେ । ତାଙ୍କ ହାତରେ ସାଲାଇନ୍ ଦିଆଯାଇଥିବା ଡ୍ରିପ୍ ଲଗାଯାଇଥିଲା ।
ପରିବାରଲୋକ ତାଙ୍କୁ ଏଭଳି ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ଲକ୍ଷ୍ନୌ ନେବା ପାଇଁ କହିଥିଲେ । ପରିବାରଲୋକଙ୍କ କହିବା ଅନୁସାରେ ଜିଲ୍ଲାର ତୁଳସୀପୁର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।