ଶୀତ ରାଜ୍ୟରେ ବଢିଲାଣିl

ସତ୍ୟଶିଖା (ଭୁବନେଶ୍ୱର) ୦୯/୧୧/୨୦୨୦ : ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି ।
ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ତଳେ ରହିଥିବାବେଳେ ସୋନପୁରରେ ତାପମାତ୍ର ସବୁଠୁ କମ ୯.୬ଡ଼ିଗ୍ରୀ ସେଲସିୟସକୁ ଖସିଥିବା ରେକର୍ଡ଼ କରାଯାଇଛି। ସୋନପୁରରେ କ୍ରମାଗତ ଭାବେ ଦୁଇ ତିନି ଦିନ ଧରି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ପାରଦ ୧୦.୫ଡ଼ିଗ୍ରୀ ସେଲସିୟସକୁ ଖସିଥିବାବେଳେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଅନୁଗୋଳରେ ୧୧ ଓ କୋରାପୁଟରେ ୧୧.୬ଡ଼ିଗ୍ରୀକୁ କମିଛି ତାପମାତ୍ରା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ଖସିବା ଆରମ୍ଭ କରିଛି । ଭୁବନେଶ୍ବରରେ ପାରଦ ୧୮କୁ କମିବା ସହିତ କଟକରେ ୧୬.୮ଡ଼ିଗ୍ରୀରେ ପହଞ୍ଚିଛି ।ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳକୁ ଖସିଛି । ଫଳରେ ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ଭବାନିପାଟଣା ଓ ବଲାଙ୍ଗୀର ଆଦି ସ୍ଥାନରେ ଶୀତ ଅନୁଭୂତ ହେଉଛି । ତେବେ ଆସନ୍ତା ୩ଦିନ ପାଗ ଅପରିବର୍ତ୍ତିତ ରହିବ ଏବଂ ଏହା ପରେ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ଆସନ୍ତା ଦୁଇରୁ ତିନିଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ କମ ରହିବା ସହିତ ଉପକୂଳ ଓଡ଼ିଶାରେ ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।