

ସତ୍ୟଶିଖା (ଭୁବନେଶ୍ୱର) ୧୬/୦୧/୨୦୨୧ : ଜଣାଶୁଣା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ସଂପାଦକ ତଥା ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନା ଆଉ ଇହଧାମରେ ନାହାନ୍ତି । ଆଜି ଭୁବନେଶ୍ୱରରେ ତାଙ୍କର ପରଲୋକ ଘଟିଛି । ପତ୍ରିକା ସମ୍ପାଦନା କରିବା ସହ ଶ୍ରୀ ଜେନା ‘ବାଣୀଚିତ୍ର’ ନାମରେ ଏକ ଚଳଚ୍ଚିତ୍ର ପୁରସ୍କାରର ମଧ୍ୟ ସ୍ଥାପନା କରିଥିଲେ । ପ୍ରତିବର୍ଷ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ବ୍ୟକ୍ତବିଶେଷଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ବାଣୀଚିତ୍ର ପ୍ରଦାନ କରାଯାଇଆସୁଛି ।
ଓଡ଼ିଶା ସରକାରଙ୍କ ଆଇନ ବିଭାଗରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିବା ପରୀକ୍ଷିତ ବାବୁ ଜଣେ ଥିଏଟର କଳାକାର ଥିଲେ । ସେ ୧୯୬୮ରେ ମୁକ୍ତିଲାଭ କରିଥିବା ସଡ଼ିଆ ଚଳଚ୍ଚିତ୍ର ‘ବନ୍ଧନ’ରେ ମଧ୍ୟ ଅଭିନୟ କରିଥିଲେ । ଅଭିନୟ କରିବାରେ ତାଙ୍କର ଯେତିକି ଜିଦ ନ ଥିଲା ତା’ଠାରୁ ସିନେମା ସହ ସଂପୃକ୍ତ କଳାକାରମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବାରେ ଅଧିକ ଆନନ୍ଦ ପାଉଥିଲେ । ଏପରିକି ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକମାନଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା ।
ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ସିନେମା, ଯାତ୍ରା, ଥିଏଟର ଏବଂ ଗଣମାଧ୍ୟମ ଜଗତରେ ଶ୍ରୀ ଜେନା ଅନେକଙ୍କର ପ୍ରିୟ ପରିଚିତ ଥିଲେ । ଗତ ଶୁକ୍ରବାର ରାତିରେ ତାଙ୍କର ହୃଦଘାତରେ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା । ସେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ଜେନାଙ୍କ ବିୟୋଗରେ ସିନେ ଜଗତ ଓ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।