ଦେଶର ଆଜି ପାଳନ ହେଉଛି ପବିତ୍ର ଲୋହରୀ ପର୍ବ

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୧/୨୦୨୧ : ନୂଆ ବର୍ଷ ଆରମ୍ଭ ପରେ ଆଜି ସାରା ଦେଶରେ ପ୍ରଥମ ପର୍ବ ଲୋହରୀ ପାଳନ କରାଯାଉଛି । ଆସନ୍ତାକାଲି ସାରା ଦେଶରେ ମକର ସଂକ୍ରାନ୍ତି ପାଳନ କରାଯିବ । ଏହି ଦୁଇଟି ବର୍ଷର ବିଶେଷ ମହତ୍ତ୍ୱ ରହିଛି । ଲୋହରୀ ବିଶେଷ କରି ଉତ୍ତର ଭାରତରେ ପାଳନ କରାଯାଏ । ପ୍ରତି ବର୍ଷ ମକର ସଂକ୍ରାନ୍ତିର ପୂର୍ବ ଦିନ ଲୋହରୀ ପାଳନ କରାଯାଏ । ପଞ୍ଜାବ ଓ ହରିୟାଣାରେ ଏହି ପର୍ବର ଧୁମ ସବୁଠାରୁ ଅଧିକ ଦେଖିବାକୁ ମିଳେ । ଏହି ଦିନ କୃଷକ ନିଆଁ ଲଗାଇ ଫସଲ ଦାନା ଅଗ୍ନିକୁ ସମର୍ପଣ କରନ୍ତି ଏବଂ ଖୁବ ଧୂମଧାମରେ ପର୍ବ ପାଳନ କରନ୍ତି । ବୋନ୍ ଫାୟାର୍ କରି ପୂଜା କରାଯାଇଥାଏ । ଏହି ପର୍ବ ସକାଳୁ ସନ୍ଧ୍ୟା ଯାଏଁ ଚାଲେ । ପୂଜା ସମୟରେ ଲୋକେ ଅଗ୍ନିରେ ବାଦାମ ଲଡୁ, ମକା ଓ ଗୁଡ ଅର୍ପଣ କରନ୍ତି । ଅଗ୍ନିରେ ଏହିସବୁ ଜିନିଷ ଅର୍ପଣ କଲାବେଳେ ‘ଆଧାର ଆଏ ଦିଲାଥେର ଯାଏ’ କହିଥାନ୍ତି ।ଏହାର ଅର୍ଥାତ, ଘରକୁ ସମ୍ମାନ ଆସୁ ଏବଂ ଗରିବୀ ଯାଉ । କୃଷକ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ଧନ୍ୟବାଦ ଜଣାନ୍ତି । ଏହାସହ କ୍ଷେତରେ ଉତ୍ପାଦନ କ୍ଷମତା ବଢାଇବାକୁ କୃଷକ ଅଗ୍ନିଦେବଙ୍କୁ ପ୍ରାର୍ଥନା କରନ୍ତି । ପୂଜା ପରେ ଭୋଗ ବଣ୍ଟାଯାଏ । ଭାରତରେ ଲୋହରୀର ଅନେକ ମହତ୍ତ୍ୱ ରହିଛି । ଏହି ପର୍ବ ଶୀତର ପ୍ରାଥନା ଓ ବସନ୍ତ ଆଗମନର ସଂକେତ । ଏହି ପବିତ୍ର ଅବସରରେ ଲୋକେ ଗହମ, ଜବ, ଚଣା, ମଶୁରି ଓ ସୋରିଷ ଫସଲ ଅଗ୍ନିକୁ ସମର୍ପିତ କରିଥାନ୍ତି। ଏହି ସମୟରେ ରବି ଫସଲ କଟାଯାଏ ।
ଏହି ଦିନ ସୂର୍ଯ୍ୟ ମକର ରାଶି ଦେଇ ଉତ୍ତର ଆଡକୁ ଗତି କରନ୍ତି । ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ଏବଂ ରାତି ସବୁଠାରୁ ଲମ୍ବା ହୋଇଥାଏ । ଲୋହରୀ ସମ୍ପର୍କରେ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି । ଏହି ଦିନ ହୋଲିକା ଦହନ ରୂପରେ ଲୋହରୀର ଜନ୍ମ ହୋଇଥିଲା । କୃଷକ ଏହାକୁ ନୂଆ ବର୍ଷର ଆର୍ଥିକ ପ୍ରାରମ୍ଭ ଭାବେ ମଧ୍ୟ ପାଳନ କରନ୍ତି ।