

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : କରୋନା ଭାଇରସ୍ ମହାମାରୀ ଭିତରେ ଭାରତର ଅର୍ଥବ୍ୟବସ୍ଥା ଖରାପ ଗତି ଦେଇ ଯାତ୍ରା କରିଛି । ପରିସ୍ଥିତି ସହ ତାଳ ଦେଇ ଏବେ ଅର୍ଥବ୍ୟବସ୍ଥାରେ ସୁଧାର ହେଉଥିବା ଦେଖିବାକୁ ମିଳିଛି । ୟୁନାଇଟେଡ୍ ନେସ ବା ମିଳିତ ଜାତିସଂଘ ଭାରତର ଅର୍ଥନୀତି ଖୁବ୍ ଶୀଘ୍ର ଉତ୍ସାହଜନକ ଭାବେ ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ କରିଛି । ଗତ ବର୍ଷ ଅର୍ଥ ବ୍ୟବସ୍ଥାରେ ୯.୬ ପ୍ରତିଶିତ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏହି କ୍ୟାଲେଣ୍ଡର ବର୍ଷରେ ୭.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ୟୁଏନ୍ ଆଶା କରିଥିବା କହିଛି ।
ସୋମବାର ୟୁଏନ ଜାରି କରିଥିବା ୱାର୍ଲ୍ଡ ଇକୋନୋମିକ୍ ଆଣ୍ଡ ପ୍ରସ୍ପେକ୍ଟସ୍ ରିପୋର୍ଟ-୨୦୨୧ରେ କୁହାଯାଇଛି ଯେ, ଭାରତୀୟ ଅର୍ଥବ୍ୟବସ୍ଥାକୁ କରୋନା ସଙ୍କଟରୁ ବାହାରକୁ ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ୟାକେଜ୍ର ଘୋଷଣା କରିଛନ୍ତି । ତଥାପି ଦେଶର ଜିଡିପି ହ୍ରାସ ପାଉଥିବା ଦେଖିବାକୁ ମିଳିଛି । କରୋନା କାରଣରୁ ବହୁଥର ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଏହାର ପ୍ରମୁଖ କାରଣ ବୋଲି ଏଥିରେ କୁହାଯାଇଛି । ରିପୋର୍ଟରେ ଅନୁମାନ ଲଗାଯାଇଛି ଯେ, ୨୦୨୨ରେ ଭାରତର ଘରୋଇ ଉତ୍ପାଦରେ ୫.୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିବ ।
ରିପୋର୍ଟରେ କୁହାଯାଇଛି ଯେ, କେବଳ ଚୀନ ହେଉଛି ଏକମାତ୍ର ଦେଶ ଯାହାର ଗତ ବର୍ଷ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ଅନୁମାନରୁ ଜଣାପଡ଼ୁଛି ଚୀନ ଅର୍ଥବ୍ୟବସ୍ଥାରେ କରୋନା ସମୟରେ ୨.୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏ ବର୍ଷ ଏହା ବଢ଼ି ୭.୨ ପ୍ରତିଶତ ହୋଇପାରେ । ଆଗାମୀ ବର୍ଷ ଏଥିରେ ୫.୮ ପ୍ରତିଶତ ବଢ଼ିପାରେ । ରିପୋର୍ଟ ମୁତାବକ କୋଭିଡ୍ କାରଣରୁ ବିଶ୍ୱ ଅର୍ଥନାତିରେ ୪.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା । ଏହି ବର୍ଷ ଏଥିରେ ୪.୭ ଏବଂ ଆଗାମୀ ବର୍ଷ ୫.୯ ପ୍ରତିଶତ ବୃଦ୍ଧି ହେବାର ଅନୁମାନ କରାଯାଇଛି ।