

ସତ୍ୟଶିଖା(ଅକ୍ଲାଣ୍ଡ )୨୫.୧୧.୨୦୨୨: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧାୱନ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ କୌଣସି ୱିକେଟ ନହରାଇ ୪୬ ରନ ସଂଗ୍ରହ କରିଛି। ଶିଖର ଧାୱନଙ୍କ ସହ ଶୁବ୍ମାନ ଗିଲ୍ ଇନିଂସ ଓପ୍ନ କରିଛନ୍ତି। ଭାରତର ପ୍ରମୁଖ ଖେଳାଳି ଏହି ଶୃଙ୍ଖଳାରୁ ବିଶ୍ରାମ ନେଉଥିବାରୁ ଯୁବ ଖେଳାଳିଙ୍କ ପାଖରେ ଦକ୍ଷତା ଦେଖାଇବାର ସୁଯୋଗ ରହିଛି। ଅନ୍ୟପକ୍ଷରେ କେନ୍ ୱିଲିୟମ୍ସନ ଦଳକୁ ଫେରିବା ସହ ନ୍ୟୁଜିଲାଣ୍ଡର ନେତୃତ୍ବ ନେବେ। ଟ୍ବେଣ୍ଟି-୨୦ ଅପେକ୍ଷା ଦିନିକିଆ ୱିଲିୟମ୍ସନଙ୍କୁ ଅଧିକ ସୁହାଇବ।
ଟ୍ରେଣ୍ଟ ବୋଲ୍ଟଙ୍କୁ ଛାଡ଼ି ନ୍ୟୁଜିଲାଣ୍ଡ ଦଳରେ ସମସ୍ତ ପ୍ରମୁଖ ଖେଳାଳି ଅଛନ୍ତି। ଓପ୍ନର ଶୁବ୍ମାନ ଗିଲ୍ ଟ୍ବେଣ୍ଟି୨୦ରେ ଖେଳିନଥିଲେ ହେଁ ଚଳିତବର୍ଷ ଦିନିକିଆରେ ତାଙ୍କର ଚମତ୍କାର ରେକର୍ଡ ରହିଛି। ସେ ୧୦୭.୫୦ ଷ୍ଟ୍ରାଇକ୍ରେଟ୍ରେ ୭୫.୭୧ ଆଭ୍ରେଜ୍ରେ ୫୩୦ ରନ୍ କରିଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଏବେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ନିଜକୁ ପ୍ରମାଣିତ କରିବା ସହ ବିଶ୍ବର ୧ନଂ ଟି୨୦ ବ୍ୟାଟର୍ ହୋଇ ପାରିଛନ୍ତି ସୂର୍ଯ୍ୟକୁମାର ଯାଦବ। ଟେଷ୍ଟ କ୍ରିକେଟ୍ ଖେଳିବାକୁ ସୂର୍ଯ୍ୟ ମନ ବଳାଇଥିଲେ ହେଁ ଦିନିକିଆରେ ତାଙ୍କୁ ଦକ୍ଷତା ଦେଖାଇବାକୁ ପଡ଼ିବ। ତାଙ୍କ ସହ ଶ୍ରେୟାସ ଆୟରଙ୍କୁ ଦିନିକିଆ ଦଳରେ ସ୍ଥାନ ନିଶ୍ଚିତ କରିବାକୁ ଏହା ବଡ଼ ସୁଯୋଗ। ପୁଣି ଋଷଭ ପନ୍ତ୍ଙ୍କୁ ଧଳା ବଲ୍ କ୍ରିକେଟ୍ରେ ଦକ୍ଷତା ଦେଖାଇବାର ସୁଯୋଗ ମିଳିଛି। ପାଣ୍ଡ୍ୟାଙ୍କ ସ୍ଥାନରେ ଦୀପକ ହୁଡା ଖେଳିପାରନ୍ତି। ସଞ୍ଜୁ ସାମ୍ସନଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍। ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଦକ୍ଷତା ପ୍ରତିପାଦନ କରି ସାରିଥିବା ଅର୍ଶଦୀପ ସିଂହଙ୍କୁ ୫୦ ଓଭର କ୍ରିକେଟ୍ରେ ମଧ୍ୟ ଏହା କରିବାକୁ ପଡ଼ିବ। ବିଶ୍ବର ନୂଆ ୧ନଂ ଦିନିକିଆ ଦଳ ନ୍ୟୁଜିଲାଣ୍ଡ ଚଳିତବର୍ଷ ଦିନିକିଆରେ ଭଲ ପ୍ରଦର୍ଶନ କରିଛି। ଗତ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ୫-୦ରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତିଥିବା ବେଳେ ଦିନିକିଆ ଓ ଟେଷ୍ଟ ଶୃଙ୍ଖଳା ହାରିଥିଲା। ଆୟୋଜକ ଭାବେ ଭାରତ ୨୦୨୩ ଦିନିକିଆ ବିଶ୍ବକପ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଆଇସିସି ଦିନିକିଆ ସୁପର ଲିଗ୍ରେ ୧୫ଟି ମ୍ୟାଚ୍ରୁ ୧୧ଟି ଜିତି ୧ନଂ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ପାଇଁ ଡେଭନ୍ କନ୍ୱେ ଇନିଂସ ଓପନ୍ କରିବେ ସତ; କିନ୍ତୁ ୱିକେଟ ରକ୍ଷଣ ଦାୟିତ୍ବ ଟମ୍ ଲାଥାମ୍ଙ୍କୁ ମିଳିବ। ଲାଥାମ୍ ବ୍ୟାଟିଂ ଲାଇନ୍ର ୪ନଂ ସ୍ଥାନରେ ଖେଳିବେ। ଟି୨୦ ଶୃଙ୍ଖଳା ଖେଳିଥିବା ଆଡାମ୍ ମିଲ୍ନଙ୍କ ସ୍ଥାନରେ ପେସ୍ ବୋଲର ମ୍ୟାଟ୍ ହେନ୍ରି ଖେଳିପାରନ୍ତି। ମିଚେଲ ସାଣ୍ଟନର ଏକମାତ୍ର ସ୍ପିନର ଭାବେ ଖେଳିବେ। ଫଳରେ ଜେମ୍ସ ନିସାମ୍ଙ୍କୁ ପୂରା ୧୦ ଓଭର ବୋଲିଂ କରିବାକୁ ପଡ଼ିବ। ବ୍ୟାଟିଂରେ ଘରୋଇ ନ୍ୟୁଜିଲାଣ୍ଡ ବେଶ୍ ମଜ୍ଭୁତ ଅଛି। ଅନଭିଜ୍ଞ ଭାରତୀୟ ବୋଲିଂକୁ ଏହା ଚିନ୍ତାରେ ପକାଇପାରେ। ବହୁତଦିନ ପରେ ଦୀପକ ଚହରଙ୍କୁ ଖେଳିବାର ସୁଯୋଗ ମିଳିପାରେ।