ଖେଳଦେଶନ୍ୟୁଜ୍ମନୋରଞ୍ଜନରାଜ୍ୟ

ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କଲା ଓସିଏ

ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଚଳିତ ବର୍ଷ ଆଇପିଏଲ୍ ପାଇଁ ବିସିସିଆଇକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓସିଏ । ଉକ୍ତ ୬ ଖେଳଳୀ ହେଲେ ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ।ଏ ନେଇ ଓସିଏ ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଫେବୃଆରୀ ୧୬ରେ ଆଇପିଏଲ୍‌ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ। ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ; ତା’ର ତାଲିକା ଦେବାର ଅନ୍ତିମ ତାରିଖ ହେଉଛି ଜାନୁଆରୀ ୨୦ । ତେବେ କୌଣସି ଆଇପିଏଲ୍‌ ଦଳ ସହ ଚୁକ୍ତି କରି ନ ଥିବା ଖେଳାଳି ଆଇପିଏଲ୍‌ ନିଲାମ ଲାଗି ଅନ୍‌ଲାଇନ୍ ଜରିଆରେ ନାମ ପଞ୍ଜୀକରଣ କରିବାକୁ ବିସିସିଆଇ ନିର୍ଦେଶ ଦେଇଛି । ଏଥିପାଇଁ ଫେବୃଆରୀ ୪ ଶେଷ ତାରିଖ ଥିବା ବେଳେ ଡାକରେ ନିଜ ନାମ ପଠାଇବା ଲାଗି ଶେଷତାରିଖ ଫେବୃଆରୀ ୧୨ ରଖାଯାଇଛି । ତେବେ ସମସ୍ତ ଖେଳାଳି ନିଜ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଜରିଆରେ ଆବେଦନ କରିବାକୁ ହେବ । କୌଣସି ଖେଳାଳିଙ୍କ ଏଜେଣ୍ଟ କିମ୍ବା ମ୍ୟାନେଜରଙ୍କୁ ଏପରି କରିବା ଲାଗି ପ୍ରଶୟ ଦିଆଯିବ ନାହିଁ ବୋଲି ସବୁ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌କୁ ଦେଇଥିବା ଇ-ମେଲ୍‌ ଜରିଆରେ ବିସିସିସିଆଇ ସ୍ପଷ୍ଟ କରିଦେଇଛି ।ବିସିସିଆଇ ସ୍ପଷ୍ଟକରିଛି ଯେ ଆଇପିଏଲ୍‌ ନିଲାମ ପଞ୍ଜୀକରଣ ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ଙ୍କୁ ଏକ ପୃଥକ୍ ଇ-ମେଲ୍‌ରେ ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ପଠାଯିବ । ରାଜ୍ୟ କ୍ରିକେଟ ସଂଘ ଏହାଦ୍ୱାରା ଆଇପିଏଲ୍‌ ନିଲାମ ଲାଗି ସେମାନଙ୍କ ଖେଳାଳିଙ୍କ ନାମ ପଞ୍ଜୀକରଣ କରିପାରିବେ । ଖେଳାଳିଙ୍କଠାରୁ ଏହି ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ଗୋପନ ରଖାଯିବ । ଫେବ୍ରୁଆରୀ ୪ ସୁଦ୍ଧା ଏହା ସମାପ୍ତହେବା ପରେ ରାଜ୍ୟ କ୍ରିକେଟ ସଂଘ ଯେଉଁ ଖେଳାଳିଙ୍କ ନାମ ପଠାଇଥିବ; ସେହି ଖେଳାଳିଙ୍କ ପାଖକୁ ଆଉ ଏକ ଇ-ମେଲ୍‌ ଯିବ; ଯେଉଁଥିରେ ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ଥିବ । ଏହାଦ୍ୱାରା ଖେଳାଳି ସେମାନଙ୍କ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ଅପ୍‌ଲୋଡ୍‌ କରିବେ । ପୁଣି ସେମାନେ ଆଇପିଏଲ୍‌ ଖେଳାଳି ନିଲାମ ଚୁକ୍ତି ମାନିବେ । ଯଦି ଖେଳାଳି ସେମାନଙ୍କ ଏଜେଣ୍ଟ କିମ୍ବା ମ୍ୟାନେଜରଙ୍କ ଜରିଆରେ ବିସିସିଆଇ ପାଖରେ ପହଞ୍ଚିବେ; ତେବେ ନିଲାମ ତାଲିକାରୁ ସେମାନଙ୍କ ନାମ ପ୍ରତ୍ୟାହୃତ ହେବ । ଅତିକମ୍‌​ରେ ଗୋଟିଏ ପ୍ରଥମଶ୍ରେଣୀ କିମ୍ବା ଲିଷ୍ଟ ଏ ମ୍ୟାଚ୍ ଖେଳି ନ ଥିଲେ ୧୯ ବର୍ଷରୁ କମ୍ ଆନ୍ତର୍ଜାତିକ ଖେଳାଳି ନାମ ପଞ୍ଜୀକରଣ କରିପାରିବେ ନାହିଁ ।

Show More
Back to top button