
ସତ୍ୟଶିଖା ୨୫/୦୧/୨୦୨୧ : ଆଜି ଏକାଦଶ ଜାତୀୟ ମତଦାତା ଦିବସରେ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟ ପତ୍ରର ଏକ ସୁରକ୍ଷିତ ପିଡିଏଫ୍ ସଂସ୍କରଣ ‘ଇ-ଏପିକ’ ବ୍ୟବସ୍ଥା ଆରମ୍ଭ କରିବ । ଏହା ମୋବାଇଲ୍ ଫୋନରେ ଡାଉନଲୋଡ୍ ହୋଇପାରିବ ଓ ଏହାର ନକଲ ମଧ୍ୟ ପ୍ରିଣ୍ଟ କରାଯାଇ ପାରିବ । କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଜାତୀୟ ମତଦାତା ଦିବସରେ ଏହିବ୍ୟବସ୍ଥାର ଶୁଭାରମ୍ଭ କରିବେ ଓ ୫ ଜଣ ନୂତନ ଭୋଟରଙ୍କୁ ଇ-ଏପିକ ଓ ଭୋଟର କାର୍ଡ ପ୍ରଦାନ କରିବେ । ଏହା ଅନୁମୋଦିତ ହେବା ପରେ ପ୍ଲାଷ୍ଟିକ ଭୋଟର କାର୍ଡ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଭୋଟର ଏହି ଇ-ଏପିକ କାର୍ଡ ପ୍ରିଣ୍ଟକୁ ଲାମିନେଟ୍ କରିପାରିବେ କିମ୍ବା ଏହାର ଡିଜିଟାଲ୍ ସଂରକ୍ଷଣ କରିପାରିବେ । ଚଳିତ ବର୍ଷ ଜାତୀୟ ମତଦାତା ଦିବସର ବାର୍ତ୍ତା ରହିଛି, ଆମ ଭୋଟରଙ୍କୁ ସଶକ୍ତ, ସଚେତନ, ନିରାପଦ ଏବଂ ସୂଚନାଯୋଗ୍ୟ କରିବା ।
ଇ-ଏପିକ କାର୍ଡ ଭୋଟରଙ୍କ ଦ୍ୱାରା ଡିଜିଲକରରେ ଅପଲୋଡ୍ ହୋଇପାରିବ ଏବଂ ସୁରକ୍ଷିତ ଭାବରେ ଗଚ୍ଛିତ ରହିପାରିବ । ଯେଉଁ ନୂତନ ଭୋଟରମାନେ ୨୦୨୧ ଭୋଟର ତାଲିକା ସଂଶୋଧନ ସମୟରେ ପଂଜିକୃତ ହୋଇଛନ୍ତି କିମ୍ୱା ଯେଉଁମାନେ ୨୦୨୦ ନଭେମ୍ବର-ଡିସେମ୍ବର ମଧ୍ୟରେ ଭୋଟର କାର୍ଡ ପାଇଁ ଆବେଦନ କରିଛନ୍ତି ଓ ଆବେଦନ ସମୟରେ ମୋବାଇଲ ନମ୍ବର ଦେଇଛନ୍ତି, ସେମାନଙ୍କ ନମ୍ବରକୁ ଜାନୁୟାରୀ ୨୫ରୁ ୩୧ ମଧ୍ୟରେ ନିର୍ବାଚନ ଆୟୋଗ ପକ୍ଷରୁ ଇ-ଏପିକ କାର୍ଡ ଡାଉନଲୋଡ୍ କରିବା ପାଇଁ ଲିଙ୍କ ପଠାଯିବ । ଅନ୍ୟ ସମସ୍ତ ଭୋଟରମାନେ ଚଳିତ ବର୍ଷ ଫେବୃଆରୀ ୧ ଠାରୁ ନିଜ ଇ-ଏପିକ କାର୍ଡ ଡାଉନଲୋଡ଼ କରିପାରିବେ ।
ଇ-ଏପିକ ଡାଉନଲୋଡ୍ କରିବା ପୂର୍ବରୁ କେୱାଇସି ପ୍ରକ୍ରିୟା କରିବାକୁ ପଡିବ । ଏହି ବ୍ୟବସ୍ଥାରେ ନିଜ ବାସସ୍ଥାନ ପରିବର୍ତ୍ତନ କିମ୍ବା ଠିକଣା ପରିବର୍ତ୍ତନ ହେତୁ ନୂଆ କାର୍ଡ ପାଇବା ପାଇଁ ଭୋଟରଙ୍କ ଆବଶ୍ୟକତାକୁ ଦୂର କରିବ । କ୍ୟୁଆର କୋର୍ଡ ଦ୍ୱାରା ବାରମ୍ବାର ଏହି ଇ-ଏପିକ କାର୍ଡ ଡାଉନଲୋଡ୍ କରାଯାଇପାରିବ । ଏହି ବ୍ୟବସ୍ଥା ‘ଗୋଟିଏ ରାଷ୍ଟ୍ର – ଗୋଟିଏ ନିର୍ବାଚନ କାର୍ଡ’ ଯୋଜନାର ସଫଳ ରୂପାୟନ କରିବ । ଯେଉଁ ଭୋଟରମାନେ ସେମାନଙ୍କର ଭୋଟର କାର୍ଡ ହଜାଇ ଦେଇଛନ୍ତି କିମ୍ବା ନଷ୍ଟ ହୋଇଯାଇଛି ସେମାନେ ନକଲ କାର୍ଡ ମାଗଣାରେ ଡାଉନଲୋଡ୍ କରିପାରିବେ । ଏହି ସୁବିଧା ପାଇଁ ୨୫ ଟଙ୍କା ଦେୟ ଦେବାକୁ ହେବ । ନିର୍ବାଚନ କମିଶନ ସ୍ଥାପନ ଦିବସ ଜାନୁଆରୀ ୨୫କୁ ୨୦୧୧ ଠାରୁ ପ୍ରତିବର୍ଷ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଉଛି । ଆଜି ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବରେ ନିର୍ବାଚନ କମିଶନର ୱେବ୍ ରେଡିଓ ‘ହେଲୋ ଭୋଟର’ ଉନ୍ମୋଚନ କରିବେ ।