୨୯ରେ ଆଉ ଏକ ଲଘୁଚାପ

ସତ୍ୟଶିଖା (ଭୁବନେଶ୍ୱର) ୨୭/୧୧/୨୦୨୦ : ଆସନ୍ତା ୨୯ତାରିଖରେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗରେ ଗତି କରିପାରେ ବୋଲି ଆକଳନ କରାଯାଇଛି । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ କି ନା ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରl ହ୍ରାସ ପାଇବା ଯୋଗୁଁ ଶୀତ ପ୍ରକୋପ ବଢ଼ିଥିଲେ ହେଁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଆସନ୍ତା ୪୮ ଘଣ୍ଟା ପରେ ରାତିର ତାପମାତ୍ରା ପୁନର୍ବାର ହ୍ରାସ ପାଇବ ।ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାତିର ସର୍ବନିମ୍ନ ତାପମାତ୍ରା ରାଜ୍ୟର ସବୁଠୁ କମ ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବାବେଳେ ରାଜ୍ୟର ୯ଟି ସ୍ଥାନରେ ପାରଦ ୧୫ଡ଼ିଗ୍ରୀ ତଳେ ରହିଥିଲା । ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ବାତ୍ୟା ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଆଜି ଦିନବେଳା କୋହଲା ପାଗ ଅନୁଭୂତ ହୋଇଥିଲା । ଦିନବେଳା ସର୍ବାଧିକ ତାପମାତ୍ରା ଦାରିଙ୍ଗବାଡ଼ିରେ ସବୁଠୁ କମ ୨୨ଡ଼ିଗ୍ରୀକୁ ଖସିଥିବାବେଳେ ଭବାନିପାଟଣା, ପାରଳାଖେମୁଣ୍ଡି, ଟିଟିଲାଗଡ଼ ଓ ରାୟଗଡ଼ାରେ ଦିନବେଳା ସର୍ବାଧିକ ତାପମାତ୍ରା ୨୩ରୁ ୨୪ଡ଼ିଗ୍ରୀ ମଧ୍ୟରେ ସୀମିତ ଥିଲା । ଫଳରେ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା ।