

ସତ୍ୟଶିଖା (ଭୁବନେଶ୍ୱର) ୧୦/୦୨/୨୦୨୧ : ରାଜଧାନୀରେ ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୧ । ଚଳିତବର୍ଷ ଆଦିବାସୀ ମେଳାରେ ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ଅଧିକ ଥିଲା । ମହୁ, ଝୁଣା, ତେଲ, ପାଳୁଅ, ରାଶି, ମହୁ, ଲାଖ ଭଳି ବନଜାତ ସାମଗ୍ରୀ ବିକ୍ରି ହେଉଥିବା ଷ୍ଟଲଗୁଡ଼ିକରେ ଖୁବ ଭିଡ଼ ପରିଲକ୍ଷିତ ହୋଇଥିଲା । କୋଭିଡ କଟକଣା ସହ ଏହି ମେଳା ସମ୍ପନ୍ନ ହୋଇଛି । ଏଥର ଆଦିବାସୀ ମେଳାରେ ୯୦ଟି ଷ୍ଟଲ ପଡ଼ିଥିବା ବେଳେ ପ୍ରାୟ ୨ କୋଟି ଟଙ୍କାର ବ୍ୟବସାୟ ହୋଇଛି ।
ଏମିତି ବହୁ ନାହିଁ ନାହିଁରେ ଚାଲିଥିଲା ଚଳିତ ବର୍ଷର ଆଦିବାସୀ ମେଳା । ଫଳରେ ମେଳାର ଆକର୍ଷଣ ଏତେ ଦେଖିବାକୁ ମିଳିନଥିଲା । କେବଳ ବିଭିନ୍ନ ଷ୍ଟଲ୍ରେ ସେମାନଙ୍କ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର କିଣାବିକା ହୋଇଥିଲା । ତେଣୁ କେବଳ କିଣାକିଣି କରିବାକୁ ଆସୁଥିବା ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା ମେଳାରେ । ସେଲ୍ଫି ନେବା, ଫଟୋ ଉଠାଇବା, ଖିଆପିଆ କରିବା ଭଳି ମେଳା ମଜା ନେବା ପାଇଁ ଛୋଟ ପିଲା ଓ ଯୁବପିଢ଼ିର ଦର୍ଶକଙ୍କ ସଂଖ୍ୟା ସେମିତି ଆଖିଦୃଶିଆ ହୋଇପାରିନଥିଲା । ତେଣୁ ଏଥର ଏକପ୍ରକାର ଖାଁ ଖାଁ ଲାଗୁଥିଲା ଆଦିବାସୀ ମେଳା ।