ହିମାଚଳ ପ୍ରଦେଶରେ ବାର୍ଡ ଫ୍ଲୁ ଆତଙ୍କ :ଶତାଧିକ ପକ୍ଷୀ ମୃତ


ସତ୍ୟଶିଖା(ନୂଆଦିଲ୍ଲୀ) ୦୭ .୦୪.୨୦୨୧: ଦେଶରେ କୋଭିଡ ସଂକ୍ରମଣ ସହିତ ବାର୍ଡ ଫ୍ଲୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପରିଲକ୍ଷିତ ହୋଇଛି। ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁରେ ସଂକ୍ରମିତ ଶତାଧିକ ମୃତ ପକ୍ଷୀଙ୍କୁ ଠାବ କରାଯାଇଛି। ଗତ ଦୁଇସପ୍ତାହ ମଧ୍ୟରେ ପୋଙ୍ଗ ଡ୍ୟାମ ଲେକରୁ ବନ୍ୟପ୍ରାଣୀ ଅଧିକାରୀମାନେ ଶତାଧିକ ଦେଶାଟନକାରୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଥିବା କହିଛନ୍ତି। ସେମାନଙ୍କର ପରୀକ୍ଷା କରାଯିବା ବାର୍ଡ ଫ୍ଲୁ ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ଉକ୍ତ ଲେକରେ ପ୍ରାୟ ୫ହଜାର ପକ୍ଷୀଙ୍କର ବାର୍ଡ ଫ୍ଲୁ ରେ ମୃତ୍ୟୁ ଘଟିଥିଲା।
ପକ୍ଷୀମାନଙ୍କ ଶରୀରରୁ ନମୁନା ସଂଗ୍ରହ କରାଯାଇ ଭୋପାଳସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜେସକୁ ପଠାଯାଇଥିଲା। ସେଠାରେ ମୃତ ପକ୍ଷୀଙ୍କ ଶରୀରରେ ବାର୍ଡ ଫ୍ଲୁ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଛି ବୋଲି ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଅର୍ଚ୍ଚନା ଶର୍ମା କହିଛନ୍ତି। ତେବେ ଚଳିତ ଥର ପକ୍ଷୀଙ୍କ ଶରୀରରୁ ମିଳିଥିବା ଷ୍ଟ୍ରେନ୍ ପୂର୍ବଥର ଅପେକ୍ଷା ଭିନ୍ନ ବୋଲି ସେ କହିଛନ୍ତି।