Uncategorizedଅପରାଧନ୍ୟୁଜ୍ରାଜ୍ୟ

ଡାହାଣୀ ସନ୍ଦେହରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୦.୦୧.୨୦୨୨ : ବାରିପଦା: ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗରେ  ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌(୧) ପ୍ରବୀର କୁମାର ଚୌଧୁରୀ ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତ ବୈଶିଙ୍ଗା ଥାନା ଅନ୍ତର୍ଗତ ଅଙ୍ଗାରୁଆ ରାଇପେଟା ଗ୍ରାମର କନ୍ଦା ମାଝୀ (୩୨) । ଏଥି ସହିତ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦେଶ ରହିଥିବା ଜଣାଯାଇଛି । ବିଚାରାଧୀନ କଏଦୀ ଭାବେ କାରାଗାରରେ ରହିଥିବା ଅବଧୀକୁ ହ୍ରାସ କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ପ୍ରକାଶ ଯେ, ୨୦୧୪ ଡିସେମ୍ବର ୧୫ ତାରିଖରେ ବୈଶିଙ୍ଗା ଥାନାରେ ୨୭/୨୦୧୪ ନମ୍ବରର ଏକ ନରହତ୍ୟା ମାମଲା ୩୦୨ ଓ ୩୪ ଦଫାରେ ରାଇପେଟା ଗ୍ରାମର ସାମା ମାରାଣ୍ଡିଙ୍କ ଅଭିଯୋଗ କ୍ରମେ ରୁଜୁ ହୋଇଥିଲା । ଅଭିଯୋଗ ଅନୁଯାୟୀ ଅଭିଯୋଗକାରୀଙ୍କ ପତ୍ନୀ ଶ୍ରୀମତୀ ମାରାଣ୍ଡିଙ୍କ ମୃତଦେହ ରାଇପେଟା ଗ୍ରାମର ପୋଖରୀରେ ଥିବା ଦେଖିବାକୁ ପାଇଥିଲେ । ସେହି ଗ୍ରାମର ପ୍ରତ୍ୟକ୍ଷଦର୍ଶୀ ମହିଳା ସାଲଗା ହାଁସଦାଙ୍କ ଅନୁଯାୟୀ ତାଙ୍କର ପତ୍ନୀଙ୍କୁ କନ୍ଦା ମାଝୀ ହତ୍ୟା କରିଥିଲେ ।

ଏହା ପୂର୍ବରୁ ଗ୍ରାମର କେତେକ ଯୁବକ ମଧ୍ୟ ତାଙ୍କ ପତ୍ନୀକୁ ଡାହାଣୀ ସନ୍ଦେହ କରି ତାଙ୍କ ଘରକୁ ଆସିଥିଲେ । ଏହି ହତ୍ୟା ଅଭିଯୋଗ ମାମଲାରେ ପୁଲିସ ଅଭିଯୁକ୍ତ କନ୍ଦା ମାଝୀକୁ ଗିରଫ କରି ଅଦାଲତ ଚାଲାଣ କରିବା ପରଠାରୁ ସେ ବାରିପଦା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲା । ପୁଲିସ ଦ୍ୱାରା ୩୦୨ ଦଫାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ ।

Show More
Back to top button