ଦେଶବାଣିଜ୍ୟଶିକ୍ଷା

ବିପଦରେ ୨୦୦୦ କୋଟିର ବଜାର

ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ : କରୋନା ମହାମାରୀ ମୁକାବିଲା ଲାଗି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଘୋଷଣା କରାଯିବା ପରଠାରୁ ଦେଶରେ ସ୍କୁଲ୍‌, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି । ଏହାର ସିଧାସଳଖ ପ୍ରଭାବ ପେନ୍ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ କାରବାର ଉପରେ ପଡ଼ିଛି । ପ୍ରତିବର୍ଷ ଦେଶରେ ପ୍ରାୟ ୨୦୦୦ କୋଟି ଟଙ୍କାର ପେନ୍ ବିକ୍ରି ହୋଇଥାଏ । ଚଳିତ ବର୍ଷ ଏହି ଶିଳ୍ପକୁ ବଡ଼ ଧରଣର ଧକ୍କା ଲାଗିଛି ।

ପେନ୍ ନିର୍ମାତାମାନେ ଦୁଇ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ପ୍ରଥମଟି ହେଉଛି ଗ୍ରାହକମାନଙ୍କ ମଧ୍ୟରେ ଚାହିଦା ନାହିଁ । ତେଣୁ ବିକ୍ରି କମ୍ ରହୁଛି । ଦ୍ବିତୀୟ କାରଣଟି ହେଉଛି ଜିଏସ୍‌ଟି । ପେନ୍ ଉପରେ ଯଦିଓ ୧୨ ପ୍ରତିଶତ ଟିକସ ଲଗାଯାଇଛି କିନ୍ତୁ କିଛି ଅଧିକାରୀ ବିଜ୍ଞପ୍ତିକୁ ଭୁଲ ତର୍ଜମା କରି କ୍ୟାପ୍, କ୍ଲିପ୍‌ ଓ ରିଫିଲ୍‌ ଉପରେ ୧୮ ପ୍ରତିଶତ ଟିକସ ଲଗାଉଛନ୍ତି । ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଲାଗି ‌ପେନ୍ ନିର୍ମାତାମାନେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ଦୃ‌ଷ୍ଟି ଆକର୍ଷଣକ ରିଛନ୍ତି ।ପେନ୍ ଏବଂ ଏହାକୁ ତିଆରି କରିବା ଲାଗି ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ କୌଣସି ପ୍ରକାର ବିଭେଦ ରହିବା ଅନୁଚିତ ବୋଲି ନିର୍ମାତାମାନେ ଦାବି କରୁଛନ୍ତି । କୋଲକାତା ପେନ୍ ନିର୍ମାତା ଓ ଡିଲର ସଂଘର ସଭାପତି ନରେଶ ଜଲାନ କହିଛନ୍ତି ଯେ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରହିଥିବାରୁ ପେନ୍ ବିକ୍ରି ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି । ଟିକସ ସ୍ଥିତି ‌ଏତେ ଜଟିଳ ହୋଇପଡ଼ିଛି ଯେ ପେନ୍ ନିର୍ମାତାମାନେ ଦେଶ ଭିତରେ ତିଆରି କରିବା ବଦଳରେ ଯଦି ବାହାରୁ ଆମଦାନି କରିବେ ତେବେ ଅଧିକ ଲାଭରେ ରହିବେ । କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେଉଥିବାରୁ ସ୍ଥାନୀୟ କଂପାନିଗୁଡ଼ିକ ଯେଉଁ ସମସ୍ୟା ସାମ୍ନା କରୁଛନ୍ତି ତାହାର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Show More
Back to top button