ରାଜ୍ୟଶିକ୍ଷା

ଓଡିଶାରେ ବାତିଲ ହୋଇପାରେ ଦ୍ୱାଦଶ ବୋର୍ଡ ପରୀକ୍ଷା !

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୬.୨୦୨୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ବାତିଲ ପରେ ବୁଧବାର ବହୁ ରାଜ୍ୟ ନିଜର ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ରାଜ୍ୟ ବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ କରିଥିବା ବେଳେ ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ନେଇ କି ନିଷ୍ପତ୍ତି ହେବ ତାହାକୁ ନେଇ ଛାତ୍ର ଓ ଅଭିଭାବକ ଚିନ୍ତାରେ ପଡିଛନ୍ତି ।

ଅପରପକ୍ଷେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ର ବରିଷ୍ଠ ଅଧିକାରୀମାନେ ଦିନ ଯାକ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସଚିବ ସତ୍ୟବ୍ରତ ସାହୁଙ୍କ ସହ ଆଲୋଚନା କରିଛନ୍ତି । ହେଲେ ଶେଷ ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନାହାନ୍ତି । କରୋନା ମହାମାରୀ ସମୟରେ ଯୁକ୍ତ ଦୁଇ ପରୀକ୍ଷା ଆୟୋଜନ କରିବା ନେଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜଡିତ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ବହୁ ଛାତ୍ର ଓ ଅଭିଭାବକ ଦାବି କରିଛନ୍ତି ।

ବୁଧବାର ଦିନତମାମ ହୋଇଥିବା ଭର୍ଚୁଆଲ୍‌ ବୈଠକରେ ପରୀକ୍ଷା ବାତିଲ ହେବ କି ନାହିଁ, ଯଦି ହେବ ତେବେ କ’ଣ ବିକଳ୍ପ ରହିବ ତର୍ଜମା ଚାଲିଥିଲା । କେତେବେଳେ ପରିଷଦ ଅଧିକାରୀଙ୍କ ସହ ତ ପୁଣି କେତେବେଳେ ବିଭାଗୀୟ ଅଧିକାରୀଙ୍କ ସହ ହୋଇଥିଲା ଆଲୋଚନା । ତଥାପି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନଥିଲା । ତେବେ ଆସନ୍ତାକାଲି ପୁଣି ଏକ ବୈଠକ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେହି ବୈଠକ ପରେ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କ ମାର୍କ ମୂଲ୍ୟାଙ୍କନ କରାଯିବ ସେ ନେଇ ବିଭିନ୍ନ କଳ୍ପନା ଜଳ୍ପନା କରାଯାଉଛି । ଗତ ୩ ବର୍ଷର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କ ଫଳାଫଳକୁ ମୂଲ୍ୟାଙ୍କନ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି । ନବମ, ଦଶମ ଏବଂ ଏକାଦଶର ଫଳ ଆଧାର ହୋଇପାରିବ । ନଚେତ୍‌ ଦଶମ ବୋର୍ଡ ଫଳାଫଳ ଏବଂ ଦ୍ୱାଦଶ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ଦ୍ୱାଦଶ ଛାତ୍ରଙ୍କ ଫଳ ପ୍ରସ୍ତୁତ ହୋଇପାରିବ । ହେଲେ ସିବିଏସ୍‌ଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଛାତ୍ରମାନଙ୍କ ସୂଚନା ପାଇଁ ସିବିଏସ୍‌ଇ ଏହାର ଅଫିସିଆଲ୍‌ ୱେବସାଇଟରେ ଦ୍ୱାଦଶ ପରୀକ୍ଷା ବାତିଲ ବିଜ୍ଞପ୍ତି ଜାରି କରିଛି ।

ଏହି ଉଦ୍ଦେଶ୍ୟ ଅନୁଯାୟୀ ଦଶମ ପରି ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରସ୍ତୁତି ହେବ । ଯଦି କୌଣସି ଛାତ୍ର ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ପ୍ରସ୍ତୁତ ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ତାଙ୍କୁ ପରୀକ୍ଷା ପାଇଁ ମଧ୍ୟ ସୁଯୋଗ ଦିଆଯିବ। କରୋନା ପରିସ୍ଥିତି ଅନୁକୂଳ ହେଲେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାର ବିକଳ୍ପ ଦିଆଯିବ ବୋଲି କୁହାଯାଇଛି ।

Show More
Back to top button