ଲକ୍ଡାଉନ୍ରେ ଥାନାରେ ହେଲା ବାହାଘର | Satyasikha

ବରଗଡ଼(ଦୀପକ ଶର୍ମା): ନା ହୋମ ନିଆଁ ଜଳିଲା। ନା ବାଜିଲା ବ୍ୟାଣ୍ଡ-ବାଜା। ନା ଥିଲେ ପରିବାର ଓ ପରିଜନ। ସମସ୍ତଙ୍କ ଅନୁପସ୍ଥିତିରେ ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବାହାଘର। ‘କରୋନା’କୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଥାନାରେ ଏପରି ଚର୍ଚ୍ଚିତ ବାହାଘର ବରଗଡ଼ ସଦର ଥାନାରେ ଘଟିଛି।
ଆହୁରି ପଢ଼ନ୍ତୁ
ପୂରା ଘଟଣା ଏମିତି। ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ନଦୀପଡ଼ାର ପବିତ୍ର ସାହୁ ଓ ଆମ୍ୱାମାଳି ଗାଁର ଲକ୍ଷ୍ମୀ ମେହେର ପରସ୍ପରକୁ ଭଲ ପାଉଥିଲେ। ତେବେ ଭିନ୍ନ ଜାତି ହୋଇଥିବାରୁ ଉଭୟ ପରିବାର ସେମାନଙ୍କୁ ସ୍ୱୀକୃତି ଦେଉନଥିଲେ। ଯାହାକୁ ନେଇ ପ୍ରେମୀଯୁଗଳ ଚିନ୍ତାରେ ପଡ଼ି ଯାଇଥିଲେ। ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ସେମାନେ ରେଜିଷ୍ଟ୍ରି ମ୍ୟାରେଜ କରିବାକୁ ଚାହୁଁଥିଲେ। ହେଲେ ‘କରୋନା’ ପାଇଁ ହୋଇଥିବା ଲକ୍ଡାଉନ୍ ଯୋଗୁ ଫସର ଫାଟି ଯାଇଥିଲା।
ଲକ୍ଡାଉନ୍ ଯୋଗୁଁ ସବୁ ସରକାରୀ ଅଫିସ ବନ୍ଦ ଥିଲେ। ସେଥିପାଇଁ ଉଭୟେ ବିବାହ କରିପାରିନଥିଲେ। ସବୁଆଡୁ ନିରାଶ ହେବା ପରେ ପବିତ୍ର ସମାଜସେବୀ ପବିତ୍ର ଦେହୁରୀ ଓ ରମେଶ ମହାପାତ୍ରଙ୍କୁ ଭେଟି ନିଜ ପ୍ରେମ ସମ୍ପର୍କରେ କହିଥିଲେ। ପରେ ମାମଲା ଥାନାକୁ ଯାଇଥିଲା। ଦୁଇ ସମାଜସେବୀ ପବିତ୍ର ସାହୁ ଓ ଲକ୍ଷ୍ମୀ ମେହେରଙ୍କୁ ଥାନାକୁ ନେଇଯାଇଥିଲେ। ଅତିରିକ୍ତ ଏସ୍ପି ଅମରେନ୍ଦ୍ର ରଣା ଓ ଟାଉନ୍ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ। ଲକ୍ଷ୍ମୀଙ୍କ ଗଳେ ମଙ୍ଗଳସୂତ୍ର ଓ କପାଳରେ ସିନ୍ଦୂର ଦେଇଥିଲେ ପବିତ୍ର।
[ad_2]