ବାଣିଜ୍ୟ

ପେ‌ଟ୍ରୋଲ ଦରଦାମ୍‌ ଦିନକୁ ଦିନ ବଢି ଚାଲିଛି

ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୧୨/୨୦୨୦ : ପେଟ୍ରୋଲ, ଡିଜେଲ ଦର ଗତ ଦୁଇବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଛି । ଦର ଉଚ୍ଚ ସ୍ତରରେ ଥିବାରୁ ଏହାକୁ ନେଇ ସାଧାରଣରେ ଅ‌ସନ୍ତୋଷ ସୃଷ୍ଟି ହୋଇଛି । କିନ୍ତୁ ଏହି ଦୁଇ ଇନ୍ଧନ ଦର ସରକାରଙ୍କୁ ଏବେ ଅକଳରେ ପକାଇଛି । ସ୍ଥିତି ଏଭଳି ହୋଇଛି ଯେ ସରକାର ଟିକସ କମାଇ ଲୋକଙ୍କୁ କମ୍‌ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦେଲେ ତାହା ରାଜସ୍ବକୁ ପ୍ରଭାବିତ କରିବ । ଟିକସ ନକମାଇଲେ ଦିନକୁ ଦିନ ଅଶୋଧିତ ତେଲ ଦର ବଢ଼ୁଥିବାରୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି ମହଙ୍ଗା ହୋଇଯିବ । ଏହାହେଲେ ଦେଶର ମୁଦ୍ରାସ୍ଫୀତି ବଢ଼ିଯିବ । ‌ ଉଭୟ ନିଷ୍ପତ୍ତି ଅର୍ଥନୀତି ପାଇଁ ଘାତକ ସଦୃଶ ହେବାକୁ ଥିବାରୁ ସରକାର ଅଡ଼ୁଆରେ ପଡ଼ିଯାଇ ପାରନ୍ତି ।କରୋନା ମହମାରୀ ଯୋଗୁ ବ୍ୟବସାୟ ବାଣିଜ୍ୟ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁ ସରକାରଙ୍କ ରାଜସ୍ବ ଆଦାୟ କମିଛି । ସେହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଅବିଶ୍ବସନୀୟ ଭାବେ ହ୍ରାସ ପାଇ ନିମ୍ନସ୍ତରକୁ ଆସିଯାଇଥିଲା । ଭାରତ ଦେଶର ମୋଟ ଚାହିଦାର ୮୦ ପ୍ରତିଶତରୁ ଅଧିକ ପରିମାଣର ପେଟ୍ରୋଲିୟମ ସାମଗ୍ରୀ ଆମଦାନି କରୁଥିବାରୁ ସରକାରଙ୍କୁ ଏହା ସୁହାଇଥିଲା । ଏହାର ଫାଇଦା ନେଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କ ବହୁମାତ୍ରାରେ ବଢ଼ାଇ ଦେଇଥିଲେ । ଏହା ପରେ ‌ପରେ କେତେକ ରାଜ୍ୟ ମଧ୍ୟ ପେଟ୍ରୋଲ, ଡିଜେଲ ଉପରେ ଭାଟ୍‌ ବି ବଢ଼ାଇ ଦେଇଥିଲେ । ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଯୋଗୁ ଗ୍ରାହକଙ୍କୁ ପେଟ୍ରୋଲ, ଡିଜେଲକୁ କମ୍‌ ଦରରେ କିଣିବାର ଯେଉଁ ସୁଯୋଗ ଗ୍ରାହକଙ୍କ ନିକଟରେ ରହିଥିଲା ତାହାକୁ ସରକାର ଟିକସ ଆକାରରେ ନେଇଗଲେ । କିଛିଦିନ ହେଲା କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଆରମ୍ଭ ହୋଇଛି । ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୫୦ ଡଲାରରୁ ଅଧିକ ହୋଇଗଲାଣି । ଅଶୋଧିତ ତେଲ ଦର ବଢ଼ିବା ପ୍ରଭାବରେ ଗତ କିଛିଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବହୁମାତ୍ରାରେ ବଢ଼ିଯାଇଛି । ତେଣୁ ପେଟ୍ରୋଲ, ଡିଜେଲ ପାଇଁ ସରକାରଙ୍କ ବିତ୍ତୀୟ ସ୍ଥିରତା ଓ ମୁଦ୍ରାସ୍ଫୀତି ସ୍ଥିତି ଏଭଳି ଭାବରେ ରହିଛି ଯାହାଦ୍ବାରା ସରକାରଙ୍କୁ ଗୋଟିଏ କିଛି ପାଇବାକୁ ହେଲେ ଅନ୍ୟଟିକୁ ହରାଇବାକୁ ପଡ଼ିବ ‌ବୋଲି ବାର୍‌‌କ୍ଲେଜ୍‌ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ।

Show More
Back to top button