

ସତ୍ୟଶିଖା ୧୮/୦୧/୨୦୨୧ : ଡାକ୍ତରଖାନା ବି ସୁରକ୍ଷିତ ନୁହେଁ । ଏଠାରେ ବଳାତ୍କାରର ଶିକାର ହୋଇଛନ୍ତି ଜଣେ ଦିବ୍ୟାଙ୍ଗ ନାବାଳିକା । ଘଟଣାଟି ଘଟିଛି ବଲାଙ୍ଗିର ଜିଲା ଟିଟିଲାଗଡ ଅଞ୍ଚଳରେ । ଟିଟିଲାଗଡ଼ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକେ ସୋମବାର ଟିଟିଲାଗଡ଼ ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଅଭିଯୋଗ ଅନୁସାରେ, ମୁରିବାହାଲ୍ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳିକା ନିଜ ଦିବ୍ୟାଙ୍ଗ ଭାଇର ଚିକିତ୍ସା ପାଇଁ ବୃଦ୍ଧା ମା’ଙ୍କ ସହ ଗତ ସେପ୍ଟେମ୍ବର ୬ ତାରିଖରେ ଡାକ୍ତରଖାନା ଆସିଥିଲେ । ତାଙ୍କୁ ଡାକ୍ତରଖାନାରେ ଖାଦ୍ୟ ବିତରଣ କରୁଥିବା ସରକାରୀ ଆହାର କେନ୍ଦ୍ରର ଜଣେ କର୍ମଚାରୀ ବଳାତ୍କାର କରିଥିଲେ । ଘଟଣା ଦିନ ରାତି ପ୍ରାୟ ୧୨ଟାରେ ଦିବ୍ୟାଙ୍ଗ ନାବାଳିକା ଜଣକ ଶିଶୁ ୱାର୍ଡରେ ଶୋଇଥିବାବେଳେ ଅଭିଯୁକ୍ତ ତାଙ୍କୁ ସେଠାରୁ ଟେକି ନେଇ ଶୌଚାଳୟ ଭିତରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
ନାବାଳିକା ଜଣକ ଏବେ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଟିଟିଲାଗଡ଼ ଡାକ୍ତରଖାନାରେ ତାଙ୍କର ଡାକ୍ତରୀମାଇନା କରାଯାଇଛି । ଅଭିଯୋଗ ପରେ ଟିଟିଲାଗଡ଼ ପୁଲିସ୍ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି । ଘଟଣାଟି ସହରରେ ଆଲୋଡନ ସୃଷ୍ଟି କରିବା ସହ ଡାକ୍ତରଖାନାରେ ଶିଶୁ, ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।