ଦେଶନ୍ୟୁଜ୍ରାଜନୀତିସ୍ୱାସ୍ଥ୍ୟ

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ କହିଲେ ‘ମୁଁ ମାସ୍କ ପିନ୍ଧେ ନାହିଁ’ !

ସତ୍ୟଶିକ୍ଷା (ଭୋପାଳ) ୨୪.୦୯.୨୦୨୦ : ‘ମୁଁ ମାସ୍କ ପିନ୍ଧେ ନାହିଁ,’ ଏ କଥା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି । କରୋନା ଭାଇରସ ମହାମାରୀକୁ ନେଇ ପୂରା ଦେଶ ଆତଙ୍କିତ ଅଛି । ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ତଥା ସାମାଜିକ ଦୂରତ୍ୱ ପାଳନ କରିବାକୁ କୁହାଯାଉଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାସ୍କ ପିନ୍ଧିବାକୁ ଦେଶବାସୀଙ୍କୁ ଅନୁରୋଧ କରୁଛନ୍ତି । ଏହା ବ୍ୟତୀତ ମାସ୍କ ନ ପିନ୍ଧିବା କାରଣରୁ ସାଧାରଣ ଲୋକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି । ଏଭଳି ସ୍ଥଳେ ମହାମାରୀର ନିୟମ ଉଲ୍ଲଂଘନ କରିଛନ୍ତି ଖୋଦ୍ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ।

ଗତକାଲି ସେ ଇନ୍ଦୋର ଯାଇଥିଲେ । ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ସେ କୌଣସି ଗୋଟିଏ ହେଲେ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧି ନ ଥିଲେ। ରବିନ୍ଦ୍ର ନାଟ୍ୟଗୃହ କାର୍ଯ୍ୟକ୍ରମ ଶେଷ ପରେ ସାମ୍ବାଦିକମାନେ ମାସ୍କ ପିନ୍ଧି ନ ଥିବା ତାଙ୍କୁ ପଚାରିବାରୁ ସେ ଆଶ୍ଚର୍ଯ୍ୟ କଲା ଭଳି କଥା କହିଥିଲେ । ସେ କହିଲେ- ‘ଏଠି ଏମିତି କ’ଣ ଅଛି? ମୁଁ କୌଣସି କାର୍ଯ୍ୟକ୍ରମରେ ମାସ୍କ ଲଗାଏ ନାହିଁ ।’ ଏହି କାର୍ଯ୍ୟକ୍ରମ ପରେ ସେ ପୋଲିସ୍ କଂଟ୍ରୋଲ ଉଦଘାଟନ କରିବାକୁ ପହଞ୍ଚିଥିଲେ ସେଠାରେ ମଧ୍ୟ ସେ ମାସ୍କ ପିନ୍ଧି ନ ଥିଲେ । ଏହାର କିଛି ସମୟ ପରେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କଂଗ୍ରେସ ମଧ୍ୟ ଗୃହମନ୍ତ୍ରୀଙ୍କ ପ୍ରତିକ୍ରିୟାରେ ବୟାନ ଦେବା ଆରମ୍ଭ କଲେ । ନରୋତ୍ତମ ୪ ଘଂଟା ଇନ୍ଦୋରରେ ରହିଲେ ଏବଂ ଶହ ଶହ ଲୋକ ତାଙ୍କ ସଂସ୍ପର୍ଶରେ ଆସିଲେ । ବହୁ କାର୍ଯ୍ୟକ୍ରମରେ ସାମିଲ ହୋଇ ବି ସେ ମାସ୍କ ପିନ୍ଧିଲେ ନାହିଁ ।

ତେବେ ପରେ ଭୋପାଳରେ ନିଜ ବୟାନ ଉପରେ ସଫେଇ ରଖିଛନ୍ତି ନରୋତ୍ତମ । ସେ ସଫେଇ ଦେଇ କହିଛନ୍ତି ‘ମାସ୍କ ଲଗାଏ କିନ୍ତୁ ଆବଶ୍ୟକତା ଥିଲେ ହିଁ ଲଗାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ମାସ୍କ ପିନ୍ଧିପାରେ ନାହିଁ । ଏହାର ମଧ୍ୟ କାରଣ ଅଛି। ମୋର ପଲିପ୍ସ ଅଛି । ମାସ୍କ ଲଗାଇଲେ ଅଣନିଶ୍ୱlସ ଲାଗେ । ଏହା ପରେ ମଧ୍ୟ ଯେଉଁଠି ଦରକାର ପଡ଼େ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧେ ।’

ସୂଚନା​ଯୋଗ୍ୟ ମଧ୍ୟପ୍ରଦେଶରେ ଗତ କିଛି ଦିନ ହେବ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଗତ ମଙ୍ଗଳବାର ଦିନ କରୋନା ରୋଗୀଙ୍କ ସଂଖ୍ୟା ଥିଲା ୨୫୪୪ । ଏହା ସହ ୨୮ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପିଗଲାଣି । ଏହା ପରେ ବି ଗୃହମନ୍ତ୍ରୀ ମାସ୍କକୁ ନେଇ ଅଜବ ଯୁକ୍ତିବାଢ଼ିବାରୁ ବିରତ ହେଉ ନାହାନ୍ତି ।

Show More
Back to top button