
ମୁମ୍ବାଇ ୧୨/୧୦: ପୂର୍ବତନ ମିସ୍ ଓ୍ବାର୍ଲଡ ମାନୁଷୀ ଛିଲ୍ଲାର ଫିଲ୍ମ ‘ପୃଥ୍ବୀରାଜ ଚୌହାନ’ରେ ଅକ୍ଷୟ କୁମାରଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ପୁଣି ଥରେ ଆରମ୍ଭ ହେବ । ଏହି ସମୟରେ ମାନୁଷୀ ଛିଲ୍ଲାର କହିଛନ୍ତି ଯେ ‘ବାହୁବଳି’ର ନିର୍ଦେଶକ ଏସ୍ ଏସ୍ ରାଜମୌଲି ଭବ୍ୟ ଫିଲ୍ମ ଦେଖିବା ପରେ ତାଙ୍କ ମନରେ ଅଭିନେତ୍ରୀ ହେବାର ଆଶା ଜାଗିଥିଲା ।ମାନୁଷୀ ରାଜମୌଲିଙ୍କ ବଡ଼ ପ୍ରଶଂସକ ଏବଂ ସେ ତାଙ୍କ ସହ ବି କାମ କରିବାକୁ ଚାହୁଁଛନ୍ତି । ମାନୁଷୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏସ୍.ଏସ୍.ରାଜମୌଲି ଆମ ସମୟର ଚମତ୍କାର ଫିଲ୍ମ ନିର୍ମାତା ମଧ୍ୟରୁ ଜଣେ ଏବଂ ସେ ତାଙ୍କ କାମର ବଡ଼ ପ୍ରଶଂସକ । ସେ ତାଙ୍କର ବଡ଼ ପଥ ପ୍ରଦର୍ଶକ ଏବଂ ସେ ଭାରତୀୟ ସିନେମାର ସର୍ବାଧିକ ପ୍ରତିଷ୍ଠିତ ଫିଲ୍ମ ଦେଇଛନ୍ତି । ରାଜମୌଲିଙ୍କ ‘ବାହୁବଳି’ ଏବଂ ‘ମଗଧୀରା’ ତାଙ୍କର ସବୁଠୁ ପ୍ରିୟ ଫିଲ୍ମ ।
‘ବାହୁବଳି’ ତାଙ୍କ ପାଇଁ ଏକ ଏପରି ଅନୁଭବ ଥିଲା ଯାହା ତାଙ୍କୁ ବଡ଼ ,ଭବ୍ୟ,କାଳ୍ପନିକ ଯୋଜନାର ଅଂଶ ହେବାକୁ ପ୍ରେରିତ କରିଥିଲା ଯାହା ଦେଶର ମନୋରଞ୍ଜନ କରିଥିଲା । ସେ ଇଚ୍ଛା ଏବଂ ଆଶା କରୁଛନ୍ତି ଯେ ସେ ପରିଶ୍ରମ କରିବେ ଯାହା ଦ୍ୱାରା ଭବିଷ୍ୟତରେ ଏପରି ଯୋଜନାର ଅଂଶ ବିଶେଷ ହୋଇପାରିବେ ।
ମାନୁଷୀଙ୍କର ଆଶା ରହିଛି ଯେ ତାଙ୍କ କାମକୁ ଫିଲ୍ମ ନିର୍ମାତା ରାଜମୌଲି ଖୁବ୍ ଶୀଘ୍ର ଦେଖିପାରିବେ । ‘ପୃଥ୍ବୀରାଜ ଚୌହାନ’ ବ୍ୟତୀତ ମାନୁଷୀ, ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ଦ୍ୱାରା ନିର୍ଦେଶିତ କମେଡି ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି । ଏଥିରେ ସେ ବିକ୍କି କୌଶଲଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଫିଲ୍ମର ଟାଇଟଲ୍ ଏବେ ସୁଦ୍ଧା ସ୍ଥିର ହୋଇନାହିଁ,କିନ୍ତୁ ମୁମ୍ବାଇରେ ଏମାସରେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ।