

ସତ୍ୟଶିଖା(ଭୁବନେଶ୍ୱର) ୧୬.୦୪.୨୦୨୧: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆଜିଠୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଏହାସହିତ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ସହ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକ ସେବାକୁ ଏସବୁରୁ ବାଦ୍ ଦିଆଯିବ।
ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍ ସଂକ୍ରମଣ ମାମଲା ଦିନକୁ ଦିନ ଭୟଙ୍କର ହେଉଛି ଓ ବ୍ୟାପକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି। ତେଣୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ସୀମାବର୍ତ୍ତୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିଲା। କିନ୍ତୁ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ସରକାର ଏସବୁ ଜିଲ୍ଲାରେ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ କରିବେ। ଏସବୁ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ଶଟଡାଉନ୍ ହେବ। ତେବେ ଏସବୁ ଏହି ଜିଲ୍ଲାର କେବଳ ସହରାଂଚଳ(ପୌରା ଓ ଏନଏସି) ପାଇଁ ଲାଗୁ ହେବ।