ନ୍ୟୁଜ୍ଶିକ୍ଷା

କରୋନା ପାଇଁ ସ୍କୁଲ ଖୋଲିବା ଆଶା କ୍ଷୀଣ

ସତ୍ୟଶିଖା ( ଭୁବନେଶ୍ୱର ) ୨୫.୦୭.୨୦୨୦ : ରାଜ୍ୟରେ  ସ୍କୁଲ ଖୋଲିବାର ସମ୍ଭାବନା ମଧ୍ୟ କମ୍ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସରକାରୀ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବାଣ୍ଟିବାକୁ ନିଷ୍ପତି ନେଇଛି । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୭ରୁ ଜୁନ୍ ୧୩ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ରୋଷେଇ ଖର୍ଚ୍ଚ ଦିଆଯାଇଥିଲା । ଏବେ ଜୁନ୍ ୧୪ରୁ ପିଛିଲା ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ରୋଷେଇ ବାବଦ ଖର୍ଚ୍ଚ ଦିଆଯିବ । ତେବେ ଏହି ବାଣ୍ଟିବାରେ କୋଭିଡ ନିୟମକୁ ପାଳନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଜୁନ୍‌ ୧୪ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ୫୭ ଦିନର ମଧ୍ୟାହ୍ନଭୋଜନ ଚାଉଳ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକମାନେ ସ୍କୁଲ ପଏଣ୍ଟରେ ବଣ୍ଟନ କରିବେ। ଯଦି ସ୍କୁଲରେ ୫୭ଦିନରୁ ଅଧିକ ଦିନ ଲାଗି ମଧ୍ୟାହ୍ନଭୋଜନ ଚାଉଳ ରହିଥିବ, ତେବେ ସିଆରସିସିମାନେ ଉକ୍ତ ଚାଉଳକୁ ନିକଟସ୍ଥ ସ୍କୁଲକୁ ପଠାଇପାରିବେ, ଯେଉଁଠାରେ ଚାଉଳ ଅଭାବ ରହିଥିବ। ଏହାପରେ ବି ଯଦି ଚାଉଳ ଅଭାବ ଦେଖାଯାଏ, ‌ସେଭଳି ସ୍ଥିତିରେ ଅଭିଭାବକଙ୍କୁ କୁପନ୍‌ ବଣ୍ଟାଯିବ ଏବଂ ସେମାନେ ନିକଟସ୍ଥ ଇପିଏସ୍‌/ପିଡିଏସ୍‌ ଆଉଟ୍‌ଲେଟ୍‌ରୁ ଚାଉଳ ସଂଗ୍ରହ କରିପାରିବେ। ରୋଷେଇ ବାବଦ ଖର୍ଚ୍ଚ ସିଧାସଳଖ ପିଲା/ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯଦି ସ୍କୁଲରେ ହୋଇଥିବା ସଙ୍ଗରୋଧ ‌କେନ୍ଦ୍ର/ଟିଏମ୍‌ସି/କୋଭିଡ୍‌ କେୟାର ହୋମ୍‌ ଖାଲି ହୋଇଯାଇଥିବ, ତେବେ ତାହାକୁ ଭଲ ଭାବେ ବିଶୋଧନ କରି ସେଠାରେ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ କରାଯାଇପାରିବ।

ସେହିପରି ଯେଉଁ ସ୍କୁଲ କ୍ୟାମ୍ପସ୍‌ରେ ସଙ୍ଗରୋଧ ‌କେନ୍ଦ୍ର/ଟିଏମ୍‌ସି/କୋଭିଡ୍‌ କେୟାର ହୋମ୍‌ ହୋଇଥିବ, କିନ୍ତୁ ଚାଉଳ ଅଲଗା ଘରେ ରହୁଥିବ ଏବଂ ବାହାର କରି ଅଣାଯାଇପାରିବ, ତେବେ ସେଠାରୁ ଚାଉଳକୁ ନିକଟସ୍ଥ ବିଦ୍ୟାଳୟକୁ ନିଆଯାଇ ବଣ୍ଟନ କରାଯାଇ ପାରିବ। ଯେଉଁ ସ୍କୁଲ କ୍ୟାମ୍ପସରୁ ଚାଉଳ ବାହାରକୁ ଆଣିବା ସମ୍ଭବପର ହେବ ନାହିଁ, ସେ କ୍ଷେତ୍ରରେ ପ୍ରଧାନ ଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଜଣାଇବେ ଓ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ ବେଳେ କୋଭିଡ୍‌-୧୯ ନିୟମ ଯଥା ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନି‌ଟାଇଜେସନ୍, ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରି ବଣ୍ଟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରଘୁରାମ ଆର. ଆୟାର ଏମ୍‌ଡିଏମ୍‌ ରାଜ୍ୟ ନୋଡାଲ ଅଫିସରଙ୍କୁ କହିଛନ୍ତି।

Show More
Back to top button