

ସତ୍ୟଶିଖା(ଭୁବନେଶ୍ୱର ) ୨୭.୧୨.୨୦୨୧: ରାଜ୍ୟରେ କମିଛି ଶୀତ । ବଢ଼ିବାରେ ଲାଗିଛି ରାତି ତାପମାତ୍ରା । ସେପଟେ ଆଜିଠୁ ୨୯ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୨୮ ଓ ୨୯ ତାରିଖରେ ଉତ୍ତର ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିବ। ଏଥି ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡି ପଡ଼ିବାର ସମ୍ଭାବନା ରହିଛି ।
କୁହୁଡ଼ି ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି ଓ କୋରାପୁଟ ରହିଛି। ଆଜିଠାରୁ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହିବା ପରିବର୍ତ୍ତେ ବଙ୍ଗୋପସାଗରରୁ ଉଷ୍ମ ଓ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ଫଳରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବା ସହ ତାପମାତ୍ରାରେ ପରିବର୍ତ୍ତନ ଆସିବ । ତେବେ ଏହା ପୁଣିଥରେ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ମଣ୍ଡିରେ ଓ ଗହୀରରେ ଏବେ ଧାନକଟା ହୋଇ ଗଦା ହୋଇଥିବା ବେଳେ ପୁଣି ଏକ ବର୍ଷା ସମ୍ଭାବନା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି।