

ସତ୍ୟଶିଖା (ମାଲକାନଗିରି) ସ୍ମୃତି ରଞ୍ଜନ ନାୟକ: ମାଲକାନଗିରି: ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ସ୍ୱାଭିମାନ ଅଞ୍ଚଳରେ ମାଓ କ୍ୟାମ୍ପ ରହିଥିବା ଖବର ପାଇ ଏସଓଜି ଏବଂ ମାଲକାନଗିରି ଡିଭିଏଫ୍ ଟିମ୍କୁ ନେଇ ଏକ ଅପରେସନ ଆରମ୍ଭ କରିଥିଲା ଓଡିଶା ପୋଲିସ । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସ୍ୱାଭିମାନ ଅଞ୍ଚଳରେ ଏସ.ପି. ଙ୍କ ନେତୃତ୍ୱ ରେ ଏହି ଅପରେସନ କରାଯାଇଥିଲା । ଡୋରାଗୁଡା ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ କରୁଥିବା ସମୟରେ ହଠାତ୍ ମାଓବାଦୀ ଙ୍କ ପକ୍ଷରୁ ସେମାନଙ୍କ ଉପରେ ଅପ୍ରତ୍ୟାଶିତ ଗୁଳି ବିନିମୟ ହୋଇଥିଲା ।ଏହାର ଜବାବ ରେ ପୋଲିସ ଓ ଏସଓଜି ଟିମ ମାଓବାଦୀଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । କିନ୍ତୁ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳର ଲାଭ ନେଇ ମାଓବାଦୀ ସେହି ଅଞ୍ଚଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଅଞ୍ଚଳକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରାଯାଇଥିଲା । ଏହି ସମୟରେ ଘଟଣା ସ୍ଥଳରୁ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଉଦ୍ଧାର କରାଯାଇଛି ।
ସେହିପରି ଜବରଦଖଲ ହୋଇଥିବା ସାମଗ୍ରୀରେ ଗୋଟିଏ 303 ରାଇଫଲ, ମାଗାଜିନ, 7.62 ଏମଏମର 10 ରାଉଣ୍ଡ ଗୁଳି, 12ଟି ବୋର କାର୍ଟ୍ରିଜ୍, ୧୪ ଟି ଡିଟୋନେଟର, ୨ଟି ରିମୋଟ, ବାଇନାକୁଲର, ଫୋନ ଚାର୍ଜର, ସାମସଙ୍ଗ ଫୋନ, ସାମସଙ୍ଗ ଟାଵଲେଟ, ମାଓବାଦୀଙ୍କ ବହି, ସୋନି କ୍ୟାମେରା, ଔଷଧ, ଡ୍ରେସ, ଫ୍ଲାଗ, କିଟ୍ ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଘଟଣାର ସମସ୍ତ ବିବରଣୀ ଗଣମାଧ୍ୟମରେ ମାଲକାନଗିରି ଏସପି ଋଷିକେଷ ଦୟାନନ୍ଦ ଖିଲାରୀ ସୂଚନା ଦେଇଛନ୍ତି । ଏହି ଅବସରରେ ସେ ସକ୍ରିୟ ନକ୍ସଲ ଏବଂ ମିଲିସିଆମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମଧ୍ୟ ଆହ୍ବାନ ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁରୁପ୍ରିୟା ସେତୁ ହେବା ପରେ ଯୋଡାଆମ୍ବରେ ନୂତନ ପୋଲିସ ଷ୍ଟେସନ୍ ଏବଂ ହନ୍ତାଳଗୁଡା ଠାରେ ନୂତନ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି । ପୋଲିସ ଏହି କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଛି । ପୋଲିସର ଉପସ୍ଥିତି ବୃଦ୍ଧି ଏବଂ ବିଭିନ୍ନ ବିକାଶମୂଳକ ପଦକ୍ଷେପ ହେତୁ ମାଓବାଦୀମାନେ ଏହି କ୍ଷେତ୍ରରେ ଜନସାଧାରଣଙ୍କ ସମର୍ଥନ ହରାଉଛନ୍ତି ଏବଂ ଏହିପରି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଯେଉଁ କାରଣରୁ ବହୁ ସକ୍ରିୟ ନକ୍ସଲ କ୍ୟାଡର ହିଂସା ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ।