

ସତ୍ୟଶିଖା(ଭୁବନେଶ୍ୱର) ୨୨.୦୪.୨୦୨୧: ରାଜଧାନୀରେ ରେଷ୍ଟୁରାଣ୍ଟରେ ବସି କେହି ଖାଇପାରିବେ ନାହିଁ। ଏଇ ନିର୍ଦ୍ଦେଶ ଜାରି କରିଛି ବିଏମସି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ହୋଟେଲରେ ପୂର୍ବଭଳି ପାର୍ସଲ ବ୍ୟବସ୍ଥା ରହିବ । ଯିଏ ଚାହିଁବେ ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିପାରିବେ। ଗତ ୧୯ ତାରିଖରେ SRCଙ୍କ ପକ୍ଷରୁ ଜାରି ଗାଇଡ୍ଲାଇନ୍ରେ ଏହି ନିର୍ଦ୍ଦେଶ ଥିଲା । ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିଛି ବିଏମସି। ସେପଟେ ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ୍(RRT) ସଂଖ୍ୟା । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ ହୋଇଛି । ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମ୍ ଗଠିତ ହୋଇଛି । ପ୍ରତି ଟିମ୍ରେ ଜଣେ ଡାକ୍ତର ଓ କୋଭିଡ ସଚେତକ ଓ ଏଏନ୍ଏମ ଅଛନ୍ତି । ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏହି ଟିମ୍ । ପ୍ରତି ଜୋନରେ ଅଛନ୍ତି ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ୍ । ସୋଶାଲ ମିଡିଆ ଓ whatsapp ଗ୍ରୁପ ଜରିଆରେ ନିୟନ୍ତ୍ରଣ କରୁଛି ଏହି ଟିମ୍ । ପୂର୍ବରୁ ପ୍ରତି ଜୋନରେ ୮ଟି ଲେଖାଏଁ ହିସାବରେ ୨୪ଟି RRT ଥିଲା। ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଛି। ସେହିପରି କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି ପାଇଛି ।