ଅପରାଧନ୍ୟୁଜ୍ରାଜ୍ୟ

ପଚା କଖାରୁରେ ଟମାଟୋ ସସ୍‌, ଆଚାରରେ ପୋକ ସାଲୁବାଲୁ

ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ପଚା କଖାରୁରେ ତିଆରି ହେଉଥିଲା ସସ୍‌, ଯେଉଁ ଆମ୍ବୁଲରେ ଆଚାର ତିଆରି ହେଉଥିଲା, ସେଥିରେ ସାଲୁବାଲୁ ହେଉଥିଲେ ଲମ୍ବା ଲମ୍ବା ପୋକ । ସସ୍‌ ଭଳି ବାସ୍ନା ହେବାକୁ ଯେଉଁ କେମିକାଲ ଓ ରଙ୍ଗ ମିଶୁଥିଲା ତାହା କେବଳ ଶିଳ୍ପରେ ବ୍ୟବହାର ଉଦ୍ଦିଷ୍ଟ ଥିଲା । ଏହାକୁ ନିୟମିତ ଖାଇଲେ କ୍ୟାନ୍‌ସର ଭଳି ରୋଗରେ ମରିବା ଥୟ । ଏଭଳି ଭେଜାଲ ଓ ନିମ୍ନମାନର ଖାଦ୍ୟ ସାମଗ୍ରୀ ଚିକଣିଆ ପ୍ଲାଷ୍ଟିକ୍‌ ଡବାରେ ବଜାରକୁ ଆସୁଥିଲା । ରାସ୍ତାକଡ଼ର ଫାଷ୍ଟ୍‌ଫୁଡ୍‌ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ଗ୍ରୋସରି ଦୋକାନ ପର୍ଯ୍ୟନ୍ତ ସବୁଠି ମିଳୁଥିଲା ଏହି ଖଟାମିଠା ଜହର । ଏହାର ପ୍ରସ୍ତୁତି ପ୍ରକ୍ରିୟା ‌ଦେଖିଲେ ହୁଏତ ଘୃଣାରେ ସମସ୍ତେ ରାସ୍ତାକଡ଼ରୁ ଫାଷ୍ଟ୍‌ଫୁଡ୍‌ରେ ସସ୍‌ ଖାଇବା ଛାଡ଼ିଦେ‌ବେ ।

ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶାଳୟ ସହାୟତାରେ ସ୍ପେସାଲ ସ୍କ୍ବାଡ୍‌ ଆଜି ପାହାଳ ଫାଣ୍ଡି ଅଞ୍ଚଳର ରୁଦ୍ରପୁରରେ ଚଢ଼ଉ କରି ଏଭଳି ସାମଗ୍ରୀ ପ୍ରସ୍ତୁତ କରୁଥିବା ଏକ କାରଖାନାକୁ ସିଲ୍‌ କରିଛି । ସେଠାରୁ ବିପୁଳ ପରିମାଣର ପୋକା ଆମ୍ବୁଲ, ଖଟାମିଠା ମିକ୍ସ ଆଚାର ଓ ସସ୍‌ ଜବତ କରାଯାଇଛି । ଏ ସବୁ ତିଆରି ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଯଥା ଗ୍ରାଇଣ୍ଡର, ଟ୍ରେ, ସିନଟ୍ରାକ୍ସ ଟାଙ୍କି, ଜାର୍‌, ସିଲଭର ଟପ୍‌, ବିଭିନ୍ନ ବ୍ରାଣ୍ଡର ନକଲି ଲେବୁଲ, ଖାଲି କାଚ ବୋତଲ, ଜାର୍‌ ଆଦି ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ବେଶି ହେବ ବୋଲି ସ୍ପେଶାଲ ସ୍କ୍ବାଡ୍‌ ଅନୁମାନ କରୁଛି । ସଂସ୍ଥାର ଅନ୍ୟ କେଉଁଠି ଏଭଳି କାରବାର ହେଉଛି, କେଉଁମାନେ ମାଲ୍‌ ନେଉଥିଲେ, କେଉଁଠୁ ଆସୁଥିଲା କଞ୍ଚାମାଲ୍‌, ଏ ସବୁ ଉପରେ ତଦନ୍ତ ଚାଲିଛି । ଖବର ପାଇ ସଂସ୍ଥାର ମାଲିକ ପ୍ରମୋଦ କୁମାର ଦାଶ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବା କହିଛନ୍ତି ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ସମ୍ପୃକ୍ତ କାରଖାନାକୁ କଞ୍ଚାମାଲ ଚେନ୍ନାଇରୁ ଆସୁଥିଲା । ସେ ରୁଦ୍ରପୁରରେ ଉତ୍ପାଦନ କରିବା ପାଇଁ ଲାଇସେନ୍ସ ପ୍ରାପ୍ତ ହୋଇଥିଲା, କିନ୍ତୁ ଭିନ୍ନ ସ୍ଥାନରେ କରୁଥିଲା । ପ୍ୟାକେଟ୍‌ରେ ଆଇଏସ୍‌ଓ ମାନ୍ୟତା ବୋଲି ଲେଖୁଥିଲା । ୨୦୧୮ ମସିହାରୁ ଲାଇସେନ୍ସ ବାତିଲ ହୋଇଥିଲେ ମଧ୍ୟ ନବୀକରଣ ହୋଇ ନ ଥିଲା । ଏହି ସବୁ ଖାଦ୍ୟ ପଦାର୍ଥ ଉତ୍ପାଦନ ପାଇଁ ଜଣେ ବୈଷୟିକ ଜ୍ଞାନ ସମ୍ବଳିତ ବ୍ୟକ୍ତିର ଆବଶ୍ୟକତା ରହିଥାଏ । ହେଲେ ଏଠାରେ କେହି ନଥିଲେ । ଖାଦ୍ୟ ପଦାର୍ଥରେ ଯେଉଁ ରଙ୍ଗ ମିଶା ଯାଉଥିଲା ତାହା କେବଳ ଶିଳ୍ପରେ ବ୍ୟବହାର ଉଦ୍ଦିଷ୍ଟ ଥିଲା । ଏହି ସବୁ ଜବତ ଖାଦ୍ୟ ସାମଗ୍ରୀରୁ ୫ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏଥିରେ ଟମାଟୋ ପ୍ୟୁରି, ଆଚାରର କଞ୍ଚାମାଲ ନମୁନା ରହିଛି । ସମସ୍ତ କଞ୍ଚାମାଲ୍‌ ସଢ଼ି ଯାଇଥିଲା । ଏହି ସବୁ ପଚାସଢ଼ା ସାମଗ୍ରୀ ବ୍ୟବହାର କରି ‘ପିଲପୁଲ୍‌’ ନାମକ ସସ୍‌ ଓ ଆଚାର ତିଆରି ହେଉଥିଲା ।

ଏ ନେଇ ଚଢ଼ଉରେ ସାମିଲ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର କହିଛନ୍ତି, ମୋଟ ୫ କୁଇଣ୍ଟାଲ ଲେଖାଏଁ କଞ୍ଚାମାଲ ଓ ଉତ୍ପାଦ ଜବତ କରାଯାଇଛି । ସେଗୁଡ଼ିକୁ ନଷ୍ଟ କରାଯିବ । ମାଲିକ ଫେରାର ଥିବାରୁ କେଉଁ ଅଞ୍ଚଳକୁ ମାଲ୍‌ ପଠାଯାଉଥିଲା ତାହା ଜଣାପଡ଼ି ନାହିଁ । ତେବେ ଆମେ ସୂଚନା ପାଇ ବିଭିନ୍ନ ବଜାରରେ ଚଢ଼ଉ ଜାରି ରଖିଛୁ । ଆଗକୁ ଅନ୍ୟ ଅପମିଶ୍ରିତ ଖାଦ୍ୟ ସସ୍‌, ଚା, ମସଲା, ଘିଅ ଉପରେ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି ।

ଏ ନେଇ ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି । ମାଲିକକୁ ଠାବ କରିବା ସହ ଅନ୍ୟ କେଉଁ ଅଞ୍ଚଳକୁ ସେ ଚାଲାଣ କରୁଥିଲା ସେ ନେଇ ତଥ୍ୟ ସଂଗ୍ରହ କରାଯାଉଥବା କହିଛନ୍ତି ବାଲିଅନ୍ତା ଥାନା ଇନ୍‌ସ୍‌ପେକ୍ଟର ପ୍ରଦୀପ କୁମାର ରାଉତ । ସୂଚନାଯୋଗ୍ୟ, ନିକଟରେ ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏଭଳି ଏକ ନକଲି ଘିଅ ଓ ତେଲ ପ୍ରସ୍ତୁତି କାରଖାନା ଠାବ କରାଯିବା ସହ ମାଲିକକୁ ଗିରଫ ମଧ୍ୟ କରାଯାଇଥିଲା । ତେବେ ରାଜଧାନୀରେ ଏହିଭଳି ଆହୁରି ଅନେକ ନକଲି ଓ ସ୍ବାସ୍ଥ୍ୟପାଇଁ ବିପଜ୍ଜନକ ଖାଦ୍ୟ ସାମଗ୍ରୀ ତିଆରି ହେଉଛି ବୋଲି ‘ସମ୍ବାଦ’ ମହାନଗର ଟିମ୍‌ର ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଏବଂ ଏ ନେଇ ‘ବିଷ ବଳୟରେ ରାଜଧାନୀ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ବିଶେଷ କରି ସହରର ଉପକଣ୍ଠରେ ଏଭଳି ଅପମିଶ୍ରଣ ଚାଲିଥିବା ସୂଚନା ଦିଆଯାଇଥିଲା ।

Show More
Back to top button