

ସତ୍ୟଶିଖା(ଥିରୁଅନନ୍ତପୁରମ) ୦୭.୦୮ .୨୦୨୧: ବୈବାହିକ ଦୁଷ୍କର୍ମ (ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ)କୁ ଛାଡପତ୍ର ପାଇଁ ଏକ ଆଧାର ଭାବେ ଗ୍ରହଣ କରିହେବ। କେରଳ ହାଇକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ବେଳେ ଏଭଳି ରାୟ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି, ବିବାହ ଏବଂ ଛାଡ଼ପତ୍ର ସମ୍ପନ୍ଧିତ ମାମଲାର ଡିଲ୍ କରିବା ପାଇଁ ଗୋଟିଏ ଧର୍ମନିରପେକ୍ଷ ଆଇନ୍ ଆବଶ୍ୟକ। ବୈବାହିକ ଦୁଷ୍କର୍ମ ଯଦିଓ ଭାରତରେ ଦଣ୍ଡନୀୟ ଅପରାଧ ନୁହେଁ କିନ୍ତୁ ଏହି ଆଧାରରେ ଛାଡପତ୍ର ଦେଇ ହେବ। କେରଳ ହାଇକୋର୍ଟ ଜଣେ ମହିଳାଙ୍କ ସ୍ୱାମୀର ଆବେଦନ ଉପରେ ବିଚାର କରି ଏପରି ରାୟ ଦେଇଛନ୍ତି। ମହିଳାଙ୍କ ସ୍ୱାମୀ ଫ୍ୟାମିଲି କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫ୍ୟାମିଲି କୋର୍ଟ କହିଥିଲେ ବିବାହ ପରେ ସ୍ତ୍ରୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ, ମାନସିକ ନିର୍ଯାତନା ଗ୍ରହଣୀୟ ନୁହେଁ। ତେଣୁ ଏହି ଆଧାରରେ ଯଦି ମହିଳା ଜଣଙ୍କ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ତାହାଲେ ଏହା ଗ୍ରହଣୀୟ।
କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ ମହମ୍ମଦ ମୁଶ୍ତାକ ଏବଂ ଜଷ୍ଟିସ କୌସର ଏଡପ୍ପାଗଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଏବେ ଯେଉଁଭଳି ଭାବରେ ସମୟ ଆସିଛି ଏବଂ ବିଭିନ୍ନ ମାମଲା ଆସୁଛି ତାକୁ ଦେଖି ବିବାହ ଏବଂ ଛାଡପତ୍ରକୁ ଧର୍ମନିରପେକ୍ଷ ଆଇନ୍ ଅଧୀନରେ ଆଣିବାର ଆବଶ୍ୟକ ରହିଛି। ଏଥିସହ ବୈବାହିକ ଆଇନରେ ସଂଶୋଧନର ଆବଶ୍ୟକ ରହିଛି ବୋଲି ବିଚାରପତି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ କିନ୍ତୁ ସୁପ୍ରିମକୋର୍ଟ ଏପରି ଏକ ମାମଲାର ବିଚାର କରି ବୈବାହିକ ଦୁଷ୍କର୍ମକୁ ଛାଡପତ୍ର ଭାବରେ ଗ୍ରହଣ କରିନଥିଲେ।