
ସତ୍ୟଶିଖା ୨୭/୦୧/୨୦୨୧ : ୩୨ତମ ସଡ଼କ ସୁରକ୍ଷା ଦିବସ ଉପଲକ୍ଷେ ମାଗଣାରେ ହେଲମେଟ ବଂଟାଯାଇଛି । ଭୁବନେଶ୍ୱର ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଏସପି କେକେ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁମାନଙ୍କର ହେଲମେଟ ନଥିଲା ସେମାନଙ୍କୁ ହେଲମେଟ ବଂଟାଯାଇଥିଲା । ବାପୁଜୀ ନଗର ହେଲମେଟ ମୋବାଇଲ ଦୋକାନ ତରଫରୁ ସମସ୍ତ ହେଲମେଟ ଯୋଗାଇ ଦିଆଯାଇଥିଲା ।
ସେପଟେ, ଏହି ଅବସରରେ ଜେନାପୁର ପୁଲିସ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ମଞ୍ଚର ଆବାହକ ପଙ୍କଜ କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ପାଳନ କରିବାକୁ କହିଥିଲେ ।ମଞ୍ଚର ଉପଦେଷ୍ଟା ପରମାନନ୍ଦ ସାହୁ, ଅଭିମନ୍ୟୁ ନାୟକ, ଆବାହକ ସରୋଜକାନ୍ତ ବେହେରା ତଥା ସଭ୍ୟ ତପନ ମଲ୍ଲ ଯୋଗଦେଇଥିଲେ । ସଭ୍ୟ ମହେଶ୍ୱର ପାତ୍ର ଟ୍ରାଫିକ ନିୟମ ମାନି ଚଳିବା ପାଇଁ ଶପଥପାଠ କରାଇଥିଲେ । ରାସ୍ତାରେ ବାଇକ୍ରେ ଦୁଇଟି ହେଲମେଟ ପିନ୍ଧି ଯାଉଥିବା ଆରୋହୀଙ୍କୁ ଫୁଲଚାରା ପ୍ରଦାନ କରାଯାଇଥିଲା । ସଚେତନ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ସୌମ୍ୟରଂଜନ ପଣ୍ତା, ସନ୍ତୋଷ ରାଉତ, ସୌମ୍ୟରଂଜନ ସାହୁ, ଶକ୍ତିପ୍ରସାଦ ସାମନ୍ତ, ବାବୁଲି ରାଉତ, କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ ।