ଝାଡଖଣ୍ଡ ମୁହାଁ ହେଲା ଲଘୁଚାପ l


ସତ୍ୟଶିଖା ( ଭୁବନେଶ୍ୱର ) ୨୭.୦୮.୨୦୨୦ : ୩ ଦିନ କାଳ ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଯାହାର ପ୍ରଭାବରେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭସାଉଥିବା ଲଘୁଚାପ ଝାଡଖଣ୍ଡ ମୁହାଁ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡଖଣ୍ଡ ଅଂଚଳରେ କେନ୍ଦ୍ରୀଭୂତ ହେଉଛି । ତେବେ ବର୍ଷା ଆଶଙ୍କାରେ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁରକୁ ୟେଲୋ ଓାର୍ଣ୍ଣିଂ ଜାରି ହୋଇଛି ।
ନୂଆପଡା, ବଲାଙ୍ଗୀର, ସୋନପୁର, ନବରଂଗପୁରକୁ ବି ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଛି । ସୂଚନାନୁସାରେ, ଗତ କିଛି ଦିନ ଧରି ଲଘୁଚାପଜନତି ବର୍ଷା ସାରା ଓଡିଶାକୁ ଭିଜାଇ ଥିଲା । ଫଳରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସି ତଳିଆ ଅଂଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ରାସ୍ତାଉପରେ ପାଣି ପ୍ରଭାବିତ ହେଉଛି ତ କେଉଁଠି ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଏଭଳି ସ୍ଥିତିରେ ସାଧାରଣ ଅନେକ ହଇରାଣ ହେଉଥିବା ଜଣାପଡ଼ିଛି ।